ତୃଣମୂଳ କଂଗ୍ରେସରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋୱନ୍ତ ସିହ୍ନା ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ନରେନ୍ଦ୍ର ମୋଦି ସରକାରର ଜଣେ ସମାଲୋଚକ ଭାବେ ପରିଚିତ ସିହ୍ନା ୨୦୧୮ରେ ବିଜେପି ଛାଡ଼ିଥିଲେ ।

୮୩ ବର୍ଷୀୟ ସିହ୍ନା ଆଜି କୋଲକାତାରେ ତୃଣମୂଳ ଭବନରେ ଦଳୀୟ ସାଂସଦ ଡେରେକ୍ ଓ’ବ୍ରାଏନଙ୍କ ସମେତ ସୁଦିପ ବନ୍ଦୋପାଧ୍ୟାୟ ଏବଂ ସୁବ୍ରତ ମୁଖାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ ।

ସିହ୍ନା ପ୍ରଥମେ ୧୯୯୦ରେ ଚନ୍ଦ୍ର ଶେଖରଙ୍କ ସରକାର ଅମଳରେ ଅର୍ଥମନ୍ତ୍ରୀ ହୋଇଥିଲେ । ପରେ ୧୯୯୮ ରୁ ୨୦୦୨ ଯାଏ ବାଜପେୟୀ ସରକାରରେ ସେ ଦ୍ୱିତୀୟ ଥର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ପୁଣି ଦୁଇବର୍ଷ ସେ ଭାରତର ବୈଦେଶିକ ମନ୍ତ୍ରୀ ହୋଇଥିଲେ ।

୧୯୬୦ ବ୍ୟାଚ୍‌ର ଆଇଏଏସ୍ ଅଫିସର ଯଶୋୱନ୍ତ ସିହ୍ନା ୧୯୮୪ରେ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ । ସେ ତାଙ୍କ ରାଜନୈତିକ କ୍ୟାରିୟର ପ୍ରଥମେ ଜନତା ପାର୍ଟିରୁ ଆରମ୍ଭ କରିଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ ।

Comments are closed.