ତେଲଦର ଉପରେ ନିରବତା ନେଇ ବିଗ୍ ବି ଓ ଅକ୍ଷୟଙ୍କ ଫିଲ୍ମର ପ୍ରଦର୍ଶନ ରୋକିବାକୁ ମହାରାଷ୍ଟ୍ର କଂଗ୍ରେସର ଧମକ

ମୁମ୍ବାଇ – ତେଲଦର କ୍ରମାଗତ ଭାବେ ବଢ଼ି ଚାଲିଛି । ଆଜି କ୍ରମାଗତ ଦଶମ ଦିନ ପାଇଁ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର କିଛି ସ୍ଥାନରେ ପେଟ୍ରୋଲ ଦର ୧୦୦ ଛୁଇଁଛି । ତେଲଦର ବୃଦ୍ଧି ନେଇ ଏକଦା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରକୁ ସମାଲୋଚନା କରୁଥିବା ବଲିଉଡ୍‌ର ସେଲିବ୍ରିଟି ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ବିଶେଷକରି ବିଗ୍ ବି ଅଭିତାଭ ବଚ୍ଚନ ଓ ଅକ୍ଷର କୁମାରଙ୍କ ଭଳି କିଛି ସେଲିବ୍ରିଟିଙ୍କ ନୀରବତାକୁ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ତୀବ୍ର ସମାଲୋଚନା କରିଛନ୍ତି । ତେଲଦର ବୃଦ୍ଧି ନେଇ ଯଦି ବିଗ୍ ବି ଓ ଅକ୍ଷୟ ନିଜ ମତ ନ ରଖନ୍ତି, ତେବେ ରାଜ୍ୟରେ ସେମାନଙ୍କ ଫିଲ୍ମର ସ୍କ୍ରିନିଂ ଓ ସୁଟିଂକୁ ଅନୁମତି ମିଳିବ ନାହିଁ ବୋଲି ପାଟୋଲେ ଚେତାବନୀ ଦେଇଛନ୍ତି ।

ପାଟୋଲେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୟୁପିଏ ଅମଳରେ ବଚ୍ଚନ ଓ ଅକ୍ଷୟ ତେଲଦରରେ ସାମାନ୍ୟ ବୃଦ୍ଧି ନେଇ ଟ୍ୱିଟ କରୁଥିଲେ ଓ ସରକାରଙ୍କୁ ସମାଲୋଚନା କରୁଥିଲେ । ଏବେ ସେମାନେ ଏହି ପ୍ରସଙ୍ଗରେ ନିରବ ରହୁଛନ୍ତି । ଯଦି ଆଗାମୀ ଦିନରେ ସେମାନେ ତେଲଦର ବୃଦ୍ଧି ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ ନ କରନ୍ତି, ତେବେ ରାଜ୍ୟରେ ସେମାନଙ୍କ ଫିଲ୍ମର ପ୍ରଦର୍ଶନ କରିବାକୁ ଆମେ ଦେବୁନାହିଁ ବୋଲି ପାଟୋଲେ କହିଛନ୍ତି ।
ଆଜି ଲଗାତର ଦଶମ ଦିନ ପାଇଁ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପେଟ୍ରୋଲ ଲିଟର ପିଛା ୩୪ ପଇସା ଓ ଡିଜେଲ ୨୩ ପଇସା ବୃଦ୍ଧି କରିଛନ୍ତି । ଏଥିସହ ମଧ୍ୟପ୍ରଦେଶର ଅନୁପପୁରରେ ସ୍ଥାନୀୟ ଟିକସକୁ ମିଶାଇ ପେଟ୍ରୋଲ ଦର ଲିଟର ପିଛା ୧୦୦.୨୫ ଟଙ୍କା ହୋଇଛି । ଏହାଛଡ଼ା ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ଅଧିକ ଟିକସଯୁକ୍ତ ବ୍ରାଣ୍ଡେଡ୍ ପଟ୍ରୋଲର ମୂଲ୍ୟ ବି ବଢ଼ିଛି । ଏହି ସବୁ ରାଜ୍ୟରେ ବ୍ରାଣ୍ଡେଡ୍ ପଟ୍ରୋଲ୍ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ପେଟ୍ରୋଲ-ଡିଜେଲ ଉପରେ ରାଜସ୍ଥାନ ସବୁଠୁ ଅଧିକ କର (ଭ୍ୟାଟ୍‌) ଆଦାୟ କରୁଛି । ଏହାପରେ ମଧ୍ୟ ପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି ।

ଗୁରୁବାର ପୁଣି ତେଲଦର ବଢ଼ିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୯.୮୮ ଟଙ୍କା ଏବଂ ଡିଜେଲ ୮୦.୨୭ ଟଙ୍କା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୬.୩୨ଟଙ୍କା ହୋଇଥିବା ବେଳେ ଲିଟର ପିଛା ଡିଜେଲ ଦର ୮୭.୩୨ଟଙ୍କାକୁ ବୃଦ୍ଧି ପାଇଛି ।

Comments are closed.