ଦାଢ଼ି କାଟିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ୧୦୦ ଟଙ୍କା ଏମ୍‌ଓ ପଠାଇଲେ ଚା’ ବିକାଳି

ନୂଆଦିଲ୍ଲୀ:ମହାରାଷ୍ଟ୍ର ବାରାମତିର ଜଣେ ଚା’ ଦୋକାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ୧୦୦ ଟଙ୍କାର ମନି ଅର୍ଡର ପଠାଇଛନ୍ତି । ପ୍ରଧାନମନ୍ତ୍ରୀ ବଢ଼ାଇଥିବା ନିଜ ଲମ୍ବା ଦାଢ଼ି କାଟିବାକୁ ଅନୁରୋଧ କରି ସେ ଏହି ମନି ଅର୍ଡର ପଠାଇଛନ୍ତି ।

କରୋନା ମହାମାରୀ ଯୋଗୁଁ ଦେଶରେ ଯେପରି ସମସ୍ୟା ବଢ଼ି ଚାଲିଛି ଏଥିପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଅନିଲ ମୋରେ ।
ମୋରେ ବାରାମତିର ଇନ୍ଦାପୁର ରୋଡ୍‌ରେ ଏକ ଛୋଟ ଚା’ ଦୋକାନ କରି ନିଜ ପରିବାର ପୋଷଣ କରନ୍ତି । କରୋନା ପାଇଁ ଲକ୍‌ଡାଉନ୍ ଯୋଗୁଁ ଗତ ଦେଢ଼ବର୍ଷ ଧରି ଦେଶରେ ଅଣ ସଂଗଠିତ କ୍ଷେତ୍ର ବେଶ୍ ପ୍ରଭାବିତ ହୋଇଛି । କେନ୍ଦ୍ର ସରକାର ଛୋଟ ବ୍ୟବସାୟୀ ଓ ଅଣ ସଂଗଠିତ ଶ୍ରମିକମାନଙ୍କ ପାଇଁ କିଛି କରିନାହାନ୍ତି ବୋଲି କହିଛନ୍ତି ଅନିଲ ମୋରେ । ମୋରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏଇ ଦେଢ଼ବର୍ଷ ମଧ୍ୟରେ ତାଙ୍କର ଦାଢ଼ି ବଢ଼ାଇଛନ୍ତି । ଯଦି ସେ ଦେଶରେ ବେକାରୀ ସମସ୍ୟା ଦୂର କରିବା ପାଇଁ ନିଯୁକ୍ତି ବଢ଼ାଇ ଥାଆନ୍ତେ ତେବେ ବହୁତ ଭଲ ହୁଅନ୍ତା ।

ଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବା ଉଚିତ । ସାରା ଦେଶରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯାଉ । ଲକ୍‌ଡାଉନ୍ ଯୋଗୁଁ ଗତ ଦେଢ଼ବର୍ଷ ଧରି ଆମ ଭଳି ଲୋକ ବହୁତ କଷ୍ଟ ସହିଛନ୍ତି । ପ୍ରଧାନମନ୍ତ୍ରୀ ଆମମାନଙ୍କ ଦୁର୍ଦ୍ଦଶା ଦୂର କରିବା ଉଚିତ ବୋଲି ମୋରେ କହିଛନ୍ତି ।

ମୋରେ କହିଛନ୍ତି, ଦେଶରେ ପ୍ରଧାନମନ୍ତ୍ରୀଙ୍କ ପଦ ସବୁଠୁ ଉଚ୍ଚରେ । ପ୍ରଧାନମନ୍ତ୍ରୀଙ୍କ ପ୍ରତି ମୋର ବହୁତ ସମ୍ମାନ ଓ ଶ୍ରଦ୍ଧା ରହିଛି । ମୋ ସଞ୍ଚୟରୁ ୧୦୦ ଟଙ୍କା ପ୍ରଧାମନ୍ତ୍ରୀଙ୍କ ପାଖକୁ ପଠାଇଛି, ଯାହା ଫଳରେ ସେ ତାଙ୍କର ଦାଢ଼ି କାଟିବେ । ସେ ଦେଶର ସର୍ବୋଚ୍ଚ ନେତା । ତାଙ୍କୁ ଅପମାନିତ କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ । ହେଲେ କରୋନା ପାଇଁ ଦେଶରେ ଯେଭଳି ସମସ୍ୟା ବଢ଼ି ଚାଳିଛି, ଏହି ଉପାୟରେ ହିଁ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଇ ପାରିବ ବୋଲି ମୋରେ କହିଛନ୍ତି ।

Comments are closed.