ଦୀନବନ୍ଧୁ ମିଶ୍ର ଆତ୍ମାହୁତି ମାମଲା: ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପରେ ବି ସାଂଘାତିକ ଅଡୁଆରେ କୁଳପତି, ନିରପେକ୍ଷ ତଦନ୍ତ ପାଇଁ ରାଜଭବନରୁ ନିର୍ଦ୍ଦେଶ

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ମାମଲାରେ କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇସାରିଛନ୍ତି । ତଥାପି ତାଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ଏହି ପ୍ରସଙ୍ଗରେ କୁଳପତି ପ୍ରଫେସର ମିତ୍ତଲ ଦୁଇ ଦୁଇ ଥର ଦେଇଥିବା ସ୍ପଷ୍ଟୀକରଣ କୁଳାଧିପତି ତଥା ରାଜ୍ୟପାଳଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ଫଳରେ ଏହାର ଏକ ନିରପେକ୍ଷ ତଦନ୍ତ କରି ରିପୋର୍ଟ ଦେବାକୁ ରାଜ୍ୟପାଳ ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସେପଟେ , ବିଶ୍ଵବିଦ୍ୟାଳୟ କର୍ମଚାରୀ ସଂଘ ନେତୃତ୍ବରେ କୁଳପତିଙ୍କ ବହିଷ୍କାର ଏବଂ ଗିରଫ ସହ ଦୀନବନ୍ଧୁଙ୍କ ପରିବାରକୁ ନ୍ୟାୟ ଦାବିରେ ଚାଲିଥିବା ଧାରଣାକୁ ଦଳମତ ନିର୍ବିଶେଷରେ ବିପୁଳ ସମର୍ଥନ ମିଳିବାରେ ଲାଗିଛି । ଯଦ୍ୱାରା କୁଳପତିଙ୍କ ପାଇଁ ସମସ୍ୟା ଥମିବାର ନାଁ ନେଉନି ।

ଦୀର୍ଘ ୨୭ ବର୍ଷ ଧରି ଅସ୍ଥାୟୀ ଚାକିରି ପରେ ବି ସ୍ଥାୟୀ ନ ହେବାରୁ ଦୀନବନ୍ଧୁ କୁଳପତିଙ୍କ ଚ୍ୟାମ୍ବର୍ ବାହାରେ ଆତ୍ମାହୁତି ଦେଇଥିଲେ । କୁଳପତି ତାଙ୍କୁ ଦୁର୍ବବହାର ପ୍ରଦର୍ଶନ ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ସେ ସୁଇସାଇଡାଲ୍ ନୋଟ୍‌ରେ ଉଲ୍ଲେଖ କରିବା ସହିତ ଆତ୍ମହତ୍ୟା ପାଇଁ କୁଳପତିଙ୍କ ସମେତ ଆଉ ଦୁଇ ଅଧିକାରୀଙ୍କୁ ଦାୟୀ କରିଥିଲେ । ତେବେ , ଏହି ଘଟଣାକୁ ନେଇ ପ୍ରଥମରୁ କର୍ମଚାରୀ ସଂଘ ସମେତ ସମସ୍ତ ରାଜନୈତିକ ଦଳ ଏବଂ ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସେପଟେ , ପୂର୍ବରୁ ଏନେଇ କୁଳପତିଙ୍କୁ ରାଜ୍ୟପାଳ ଦୁଇ ଦୁଇ ଥର ସ୍ପଷ୍ଟୀକରଣ ମାଗିଥିଲେ ହେଁ ସନ୍ତୋଷଜନକ ଉତ୍ତର ମିଳିନଥିଲା । ଏଭଳି ସ୍ଥିତିରେ କର୍ମଚାରୀ ସଂଘ ସାଧାରଣ ସଂପାଦକ ସତ୍ୟନାରାୟଣ କରଙ୍କ ସମେତ ବରଗଡ ସାଂସଦ ସୁରେଶ ପୂଜାରୀ , ବିଭିନ୍ନ ବିଶ୍ବବିଦ୍ୟାଳୟର ୨ ଜଣ ପୂର୍ବତନ କୁଳପତିଙ୍କ ସମେତ ନିଖିଳ ଓଡିଶା ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘ ସଭାପତି ଶାରଦା ଚରଣ ମହାନ୍ତି ଏବଂ ଆଇନଜୀବୀ ଦୁର୍ଗା ପାଢୀ ପ୍ରମୁଖ କୁଳାଧିପତିଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଥିଲେ । ଫଳରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହାକୁ ଗୁରୁତର ସହ ନେଇଛନ୍ତି ।

ଆଉ ତୁରନ୍ତ ଏକ କମିଟି ଗଠନ କରି ଏହାର ନିରପେକ୍ଷ ତଦନ୍ତ କରିବାକୁ ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତର ରିପୋର୍ଟ ତୁରନ୍ତ ରାଜଭବନରେ ଦାଖଲ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଏଭଳି ସ୍ଥିତିରେ କୁଳପତି ମାତ୍ର ୩ ସପ୍ତାହ ପାଇଁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇ ଗିରଫ ଭୟରୁ ମୁକୁଳିଥିଲେ ହେଁ ପଦ ସୁରକ୍ଷା ଚିନ୍ତା ତାଙ୍କୁ ଏବେ ଅଥୟ କରୁଥିବା ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଏହାର ନିରପେକ୍ଷ ତଦନ୍ତ ପାଇଁ କୁଳପତିଙ୍କୁ ଛୁଟିରେ ପଠାଇବାକୁ ସଂଘ ଦାବି କରି ଆସୁଥିବାରୁ ପ୍ରଫେସର ମିତ୍ତଲଙ୍କ ଅଡୁଆ ବଢିବାରେ ଲାଗିଛି ।

ଅପରପକ୍ଷେ , କୁଳପତିଙ୍କ ବିରୋଧରେ ଖୋଦ୍ କୁଳସଚିବ ସୀତାରାମ ପଟେଲ ଏବଂ ବିତ୍ତ ନିୟନ୍ତ୍ରକ ଗୁରୁତର ଅଭିଯୋଗ ଆଣି ୨ ମାସ ତଳୁ ରାଜ୍ୟ ସରକାରଙ୍କୁ ଲିଖିତ ଜଣାଇ ସାରିଛନ୍ତି । ଏପରିକି କୁଳପତିଙ୍କ ଦୁବ୍ୟବହାର ଅସହ୍ୟ ହେଉଥିବାରୁ ଚାକିରି ଛାଡିବାର ଧମକ ବି ଦେଇଛନ୍ତି । ଫଳରେ କୁଳପତିଙ୍କ ସମସ୍ୟା ଏବେ ବଢିବାର ଆଶଙ୍କା ହେଲାଣି ।

Comments are closed.