ଦୁଇ ଆକାଂକ୍ଷା ହଷ୍ଟେଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୨ ହଷ୍ଟେଲରେ ରହିବେ ୯୬୦ ଏସି , ଏଟି ଛାତ୍ରଛାତ୍ରୀ

ସମ୍ବଲପୁର : ରାଜ୍ୟର ଜନଜାତି ଭାଇ ଭଉଣୀଙ୍କ ଶିକ୍ଷାର ବିକାଶକୁ ମୁଁ ସବୁ ବେଳେ ପ୍ରାଥମିକତା ଦେଇ ଆସିଛି । ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର । ତେଣୁ , ଜନଜାତି ବର୍ଗର ଛାତ୍ରଛାତ୍ରୀ ଶିକ୍ଷିତ ହେଲେ ଯାଇ ରାଜ୍ୟର ସାମଗ୍ରିକ ବିକାଶ ସମ୍ଭବ । ତେବେ , ବର୍ତ୍ତମାନ ଓଡିଶାର ଜନଜାତି ଭାଇଭଉଣୀ ପ୍ରତିଟି କ୍ଷେତ୍ରରେ ସେମାନଙ୍କ ଦକ୍ଷତାକୁ ପ୍ରତିପାଦିତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସମ୍ବଲପୁର ମହାନଗରରେ ନିର୍ମିତ ୨ଟି ଆକାଂକ୍ଷା ହଷ୍ଟେଲର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ମହାନଗରରେ ନିର୍ମିତ ୪୮୦ ଶଯ୍ୟା ବିଶିଷ୍ଟ ୨ଟି ଆକାଂକ୍ଷା ହଷ୍ଟେଲ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନଲାଇନ୍ ମୋରେ ଉଦଘାଟନ କରିଛନ୍ତି । ଏଥିରେ ବୁର୍ଲାରେ ପୁରୁଷ ଏବଂ କାଇଁଶିରରେ ମହିଳା ହଷ୍ଟେଲ ସାମିଲ ହୋଇଛି । ଏହି ହଷ୍ଟେଲରେ ମାଗଣାରେ ରହିବା ସହିତ ଖାଇବା ପିଇବା ସବୁ ବ୍ୟବସ୍ଥା ହୋଇଛି । ଆଜି ଏହି ଦୁଇ ହଷ୍ଟେଲ ଉଦଘାଟନ ହୋଇଥିବା ବେଳେ ଏଥିରେ ମୋଟ୍ ୯୬୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଆଜି ଆରମ୍ଭ ହେଉଥିବା ସଂହତି କାର୍ଯ୍ୟକ୍ରମ ଦ୍ବାରା ଦେଢ ଲକ୍ଷ ପିଲା ସୁବିଧାରେ ପାଠ ପଢି ପାରିବେ । ସେହିପରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମୋ ଛାତ୍ରାବାସ କାର୍ଡ , ଓଡ଼ିଶା ଷ୍ଟେଟ୍ ସ୍କୋଲାରସିପ୍ ପୋର୍ଟାଲରେ ପୋଷ୍ଟ ମାଟ୍ରିକ୍ ସୋଲାରସିପ୍ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ବୁର୍ଲାରେ ଏହି ହଷ୍ଟେଲ ଉଦଘାଟନ ଉତ୍ସବରେ ରାଜ୍ୟ ହରିଜନ ଆଦିବାସୀ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରିକା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଦ୍ଵାରା ଜନଜାତି , ଜାତି ଛାତ୍ରଛାତ୍ରୀ ମାନେ ଆଗକୁ ବଢିବା ସହିତ ଓଡ଼ିଶାର ବିକାଶରେ ଯୋଗଦାନ ରଖୁପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶୁଭମ ସକ୍ସେନା , ଆରକ୍ଷୀ ଅଧକ୍ଷକ ବି . ଗଙ୍ଗାଧର , ଜିଲ୍ଲା ମଙ୍ଗଳ ଅଧୁକାରୀ ଏବଂ ବିଭାଗୀୟ କର୍ମଚାରୀଙ୍କ ସମେତ ପୂର୍ବତନ ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ଏହି ପ୍ରକଳ୍ପ ଦ୍ବାରା ମୁଖ୍ୟମନ୍ତ୍ରୀ ପୁଣି ଥରେ ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଇଛନ୍ତି ।

Comments are closed.