ଦେବାଶିଷ ମହାନ୍ତି ଜାତୀୟ ଚୟନକର୍ତ୍ତା ନିଯୁକ୍ତ

ନୂଆଦିଲ୍ଲୀ – ଭାରତର ପୂର୍ବତନ ଦ୍ରୁତ ବୋଲର ତଥା ଓଡ଼ିଶା ରଣଜୀ ଦଳର ପୂର୍ବତନ କୋଚ୍ ଦେବାଶିଷ ମହାନ୍ତି ବିସିସିଆଇର ସିନିୟର ଚୟନ କମିଟିର ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଦେବାଶିଷଙ୍କ ସମେତ ଚୟନ କମିଟିରେ ମନୋନୀତ ହୋଇଥିବା ଅନ୍ୟ ଦୁଇ ସଦସ୍ୟ ହେଲେ ଚେତନ ଶର୍ମା ଓ ଆବେ କୁରୁଭିଲ୍ଲା ।

ସୁନୀଲ ଯୋଶୀଙ୍କ ସ୍ଥାନରେ ଚେତନ ଶର୍ମା ମଧ୍ୟ ଚୟନ କମିଟିର ନୂଆ ଅଧ୍ୟକ୍ଷ ହେବେ । ବରିଷ୍ଠତା ଭିତ୍ତିରେ ଚେତନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସନ୍ଦୀପ ସିଂ, ଦେବାଙ୍ଗ ଗାନ୍ଧି ଓ ଯତୀନ ପରାଞ୍ଜପେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତିନୋଟି ଚୟନକର୍ତ୍ତା ପଦ ଖାଲି ପଡିଥିଲା । ନୂଆ ଚୟନକର୍ତ୍ତାଙ୍କ ନିଯୁକ୍ତି ପାଇଁ ଆଜି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ୧୧ ଜଣ ପୂର୍ବତନ ଖେଳାଳି ଦୌଡ଼ରେ ଥିଲେ ।

ଦେବାଶିଷ, ଚେତନ ଓ କୁରୁଭିଲ୍ଲାଙ୍କ ସମେତ ଚୟନକର୍ତ୍ତା ଦୌଡ଼ରେ ଅଜିତ ଅଗରକର, ନୟନ ମୋଙ୍ଗିଆ, ମନିନ୍ଦର ସିଂହ, ବିଜୟ ଦହିୟା, ନିଖିଲ ଚୋପ୍ରା, ଶିବସୁନ୍ଦର ଦାସ, ରାଣାଦେବ ବୋଷ ରହିଥିଲେ । ତେବେ ମଦନ ଲାଲଙ୍କ ନେତୃତ୍ୱାଧୀନ କ୍ରିକେଟ୍ ପରାମର୍ଶଦାତା କମିଟି ନୂଆ ଚୟନକର୍ତ୍ତା ଭାବେ ଦେବାଶିଷ, ଚେତନ ଓ କୁରୁଭିଲ୍ଲାଙ୍କୁ ମନୋନୀତ କରିଛି । କ୍ରିକେଟ୍ ପରାମର୍ଶଦାତା କମିଟି ସବୁ ପ୍ରାର୍ଥୀଙ୍କର ଭର୍ଚୁଆଲ ସାକ୍ଷାତକାର ନେଇଥିଲା ।

ସିନିୟର ଚୟନ କମିଟି ସଦସ୍ୟ ହୋଇଥିବା ଦେବାଶିଷ ମହାନ୍ତି ୧୯୯୭ରୁ ୨୦୦୧ ମଧ୍ୟରେ ଭାରତ ପାଇଁ ଦୁଇଟି ଟେଷ୍ଟ ଓ ୪୫ଟି ଦିନିକିଆ ଖେଳଥିଲେ । ସେ ଟେଷ୍ଟରେ ଦୁଇଟି ଓ ଦିନିକିଆରେ ୫୭ ୱିକେଟ୍ ନେଇଥିଲେ । ଦେବାଶିଷ ୧୯୯୯ ବିଶ୍ୱକପରେ ବି ଭାରତର ପ୍ରତିନିଧିତ୍ୱ କରିଥିଲେ । କ୍ରିକେଟରୁ ଅବସର ପରେ ଦେବାଶିଷ ଓଡ଼ିଶା ରଣଜୀ ଟିମର କୋଚ୍ ଭାବେ ସାତ ବର୍ଷ ଦାୟିତ୍ୱ ତୁଲାଇଥିଲେ । ପରେ ତାଙ୍କ ତତ୍ତ୍ୱାବଧାନରେ ଇଷ୍ଟ ଜୋନ୍ ଦୁଲୀପ ଟ୍ରଫି ଜିତି ଇତିହାସ ରଚିଥିଲା ।

Comments are closed.