ଦେଶରେ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଭିଡ୍ ସ୍ଥିତି ନେଇ ଗୁରୁବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ସମେତ ଅନ୍ୟ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରେ ଅନିୟନ୍ତ୍ରିତ ହୋଇପଡିଥିବା କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଆଗରେ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ଦେଶର ପ୍ରାୟ ୧୨ଟି ରାଜ୍ୟରେ କୋଭିଡ୍ ମାମଲା ବଢ଼ୁଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ସର୍ବାଧିକ ପ୍ରଭାବିତ ଏହି ୧୨ଟି ରାଜ୍ୟରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ସକ୍ରିୟ ମାମଲା ରହିଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ ସର୍ବାଧିକ ପ୍ରଭାବିତ ଜିଲ୍ଲାମାନଙ୍କର ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ । ପ୍ରଭାବିତ ରାଜ୍ୟ ଗୁଡିକରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସବୁ ପ୍ରକାର ସହାୟତା ଓ ପ୍ରସ୍ତାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ବିଭିନ୍ନ ଔଷଧ ଗୁଡିକର ଉପଲବ୍ଧି ନେଇ ମଧ୍ୟ ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ, କରୋନା ରୋଗୀଙ୍କ ଚିକିତ୍ସାରେ ପ୍ରଭାବୀ ହେଉଥିବା ରେମଡେସିଭିର ସମେତ ଅନ୍ୟ ଔଷଧ ଗୁଡିକର ଉତ୍ପାଦନ ବୃଦ୍ଧି କରାଯାଉଛି । ଏହାଛଡ଼ା ମୋଦି ଦେଶରେ ଚାଲିଥିବା ଟିକାକରଣର ଗତି ସମ୍ବନ୍ଧରେ ବି ତଥ୍ୟ ଲୋଡିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟ ଗୁଡିକୁ ଏଯାବତ୍ ପ୍ରାୟ ୧୭ କୋଟି ୭ ଲକ୍ଷ ଭାକ୍ସିନ୍ ଯୋଗାଇ ଦିଆଯାଇଛି । ଟିକା ଅପଚୟ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

Comments are closed.