ନାଟ୍ୟ ଜଗତରେ ବିରାଟ ଶୂନ୍ୟସ୍ଥାନ, ଚାଲିଗଲେ ନାଟ୍ୟଶ୍ରୀ ଡ. ପଞ୍ଚାନନ ମିଶ୍ର

ସମ୍ବଲପୁର : ଓଡିଶାର ନାଟ୍ୟ ଜଗତ ପାଇଁ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ମହାମାରୀ କରୋନାର ଶିକାର ହୋଇ ଚାଲିଗଲେ ନାଟ୍ୟ ଜଗତର ଅନ୍ୟତମ ପୁରୁଖା ଡ . ପଞ୍ଚାନନ ମିଶ୍ର । ମୃତ୍ୟୁ ବେଳକୁ ତଙ୍କୁ ୭୧ ବର୍ଷ ବୟସ ହେଉଥିଲା । ଓଡିଆ , ସମ୍ବଲପୁରୀ ସମେତ ବଙ୍ଗଳା , ହିନ୍ଦୀ , ସଂସ୍କୃତି ଏବଂ ଭୋଜପୁରୀ ଭାଷାରେ ଶତାଧିକ ନାଟକ କରି ସେ ଜାତୀୟସ୍ତରରେ ଏକ ସତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏପରିକି କ୍ରମାଗତ ଭାବେ ଦୁଇ ଦୁଇ ଥର ଜାତୀୟ ପୁରସ୍କାର ହାସଲ କରିଥିଲେ ।

ସୋନପୁର ଜିଲ୍ଲାରେ ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିବା ପଞ୍ଚାନନ ପିଲାଟି ବେଳୁ ନାଟକ ପ୍ରତି ଆକର୍ଷିତ ହୋଇଥିଲେ । ସ୍କୁଲ ଶିକ୍ଷାରୁ ଆରମ୍ଭ କରି କଲେଜ ଏବଂ ବିଶ୍ବବିଦ୍ୟାଳୟରେ ପଢିବା ବେଳେ ବି ସେ ବହୁବାର ନାଟକ କରି ଫଚସ୍ଥ ହୋଇଥିଲେ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଚାରୋଟି ବିଷୟରେ ସ୍ନାତକୋତ୍ତରରେ ଉତ୍ତୀର୍ଣ୍ଣ ହୋଇ ସେ ସେଠାରେ ଚାକିରି ଜୀବନ ଆରମ୍ଭ କରିଥିଲେ । ସେପଟେ ନାଟକ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ରହିଥିଲେ । ୧୯୮୩ ଏବଂ ୧୯୮୪ ମସିହାରେ କ୍ରମାଗତ ଭାବେ ଦୁଇ ଦୁଇ ଥର ଆଲ୍ଲାହାବାଦରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।

ଦୀର୍ଘ ୬ ଦଶନ୍ଧିର ନାଟ୍ୟ ଜୀବନ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ୩ ଶହରୁ ଉର୍ଦ୍ଧ ନାଟକରେ ଅଭିନୟ ସାଙ୍ଗକୁ ୨ ଶହରୁ ଉର୍ଦ୍ଧ ନାଟକରେ ନିର୍ଦ୍ଦେଶନା ଦେଇଥିଲେ । ୧୫ଟି ନାଟକ ରଚନା କରି ବେଶ୍ ପ୍ରଶଂସିତ ହୋଇଥିଲେ । ଏପରିକି ତାଙ୍କର ଅଭିନୀତ ପ୍ରଥମ ସମ୍ବଲପୁରୀ ନାଟକ ସସେମିରା ରାଜ୍ୟ ବାହାରେ ଜାତୀୟସ୍ତରରେ ମଞ୍ଚସ୍ଥ ହୋଇ ପୁରସ୍କୃତ ହେବାର ଗୌରବ ଲାଭ କରିଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିବା ଡ . ମିଶ୍ର ସମ୍ବଲପୁରୀ ନାଟକରେ ପିଏଡି ଲାଭ କରିଥିଲେ । ତାଙ୍କୁ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ସହ ଆଲ୍ଲାହାବାଦରେ ନାଟ୍ୟଶ୍ରୀ ସମ୍ମାନ ବି ମିଳିଥିଲା । କରୋନାରେ ଆକ୍ରାନ୍ତ ହେବାରୁ ଦୀର୍ଘ ୨୦ ଦିନ ଧରି ବୁର୍ଲା କୋଭିଡ୍ ହସପିଟାଲରେ ଚିକିସିତ ହେଉଥିବା ବେଳେ ଗତକାଲି ରାତିରେ ତାଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ସମଗ୍ର ରାଜ୍ୟର ନାଟ୍ୟପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments are closed.