ନାନ୍ଦେଡ୍ ଗୁରୁଦ୍ୱାରା ହିଂସା ଘଟଣାରେ ୧୪ ଗିରଫ

ମୁ୍‌ମ୍ବାଇ – ଗତକାଲି ନାନ୍ଦେଡ୍‌ରେ ପୋଲିସ୍ ଉପରେ ଶିଖ ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ହୋଇଥିବା ଆକ୍ରମଣ ଘଟଣାରେ ୧୪ ଜଣଙ୍କୁ ଗିରଫ କରାଯାଇଛି ।

କୋଭିଡ୍‌-୧୯ ଦୃଷ୍ଟିରୁ ‘ହୋଲା ମୋହଲା’ ଶୋଭାଯାତ୍ରା ପାଇଁ ଅନୁମତି ନ ମିଳିବାରୁ ଖଣ୍ଡାଧାରୀ କିଛି ଶିଖ୍ ପୋଲିସ ଉପରେ ଆକ୍ରମଣ କରିଥିଲେ । ମହାରାଷ୍ଟ୍ରର ନାନ୍ଦେଡ୍ ଜିଲ୍ଲାର ୱାଜିରାବାଦ ପୋଲିସ୍ ଏହି ଘଟଣାରେ ୬୪ ବ୍ୟକ୍ତିଙ୍କ ସମେତ କିଛି ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଏହି ଘଟଣା ନାନ୍ଦେଡ୍‌ର ହାଜୁର ସାହିବ୍ ଗୁରୁଦ୍ୱାରା ନିକଟରେ ଘଟିଥିଲା । ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡିଓରେ ଗୁରୁଦ୍ୱାରା ଭିତରୁ ଏକ ଭିଡ଼ ହଠାତ୍ ବାହାରି ସେଠାରେ ମୁତୟନ ପୋଲିସ୍ କର୍ମୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଆକ୍ରମଣକାରୀ ମାନଙ୍କ ମଧ୍ୟରେ ଅଧିକାଂଶଙ୍କ ହାତରେ ଖଣ୍ଡା ଥିଲା ।

ଏହି ଘଟଣାରେ ଚାରି ଜଣ କନଷ୍ଟେବଳ ଆହତ ହୋଇଥିବା ବେଳେ ୬ ପୋଲିସ୍ ଭ୍ୟାନ୍ ନଷ୍ଟ ହୋଇଛି । ଆହତ ପୋଲିସକର୍ମୀଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ହିଂସାରେ ଗୁରୁଦ୍ୱାରା କମିଟି ସଦସ୍ୟଙ୍କ ଭୂମିକା ନେଇ ପୋଲିସ୍ ତଦନ୍ତ କରୁଛି ।

ଜଣେ ପୋଲିସ୍ ଅଧିକାରୀ କହିଛନ୍ତି ଯେ, କୋଭିଡ୍‌-୧୯ ଯୋଗୁଁ ‘ହୋଲା ମୋହଲା’ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇନଥିଲା । ଏନେଇ ଗୁରୁଦ୍ୱାରା କମିଟିକୁ ମଧ୍ୟ ଜଣାଇ ଦିଆଯାଇଥିଲା । ସେମାନେ ଏହି ନିର୍ଦ୍ଦେଶ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ‘ହୋଲା ମୋହଲା’ ଗୁରୁଦ୍ୱାରା ପରିସର ଭିତରେ ଅନୁଷ୍ଠିତ ହେବ ବୋଲି କହିଥିଲେ । କିନ୍ତୁ ଅପରାହ୍ନ ପ୍ରାୟ ୪ଟାରେ ଗୁରୁଦ୍ୱାରାକୁ ଯେତେବେଳେ ଶିଖ ଧର୍ମ ଝଣ୍ଡା ‘ନିଶାନ ସାହିବ’ ଅଣାଯାଇଥିଲା, ଗୁରୁଦ୍ୱାରାରେ ଥିବା ସଂଖ୍ୟାଧିକ ଲୋକ ପୋଲିସ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ପ୍ରାୟ ୩୦୦ ଶିଖ୍ ଯୁବକ ପୋଲିସ୍ ଗୁରୁଦ୍ୱାରା ପ୍ରବେଶଦ୍ୱାର ଆଗରେ କରାଯାଇଥିବା ବାରିକେଡ୍ ଭାଙ୍ଗି ପୋଲିସକର୍ମୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ‘ହୋଲା ମୋହଲା’ ଏକ ଶିଖ୍ ପର୍ବ ଯାହା ହୋଲି ପରଦିନ ପାଳନ କରାଯାଏ ।

Comments are closed.