ନୂଆ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ ହ୍ୱାଟ୍‌ସଆପ୍‌କୁ କହିଲେ ଭାରତ ସରକାର

ନୂଆଦିଲ୍ଳୀ –ନୂଆ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ ଭାରତ ସରକାର ମେସେଜିଂ ଆପ୍ ହ୍ୱାଟ୍‌ସଆପ୍‌କୁ କହିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ କଡ଼ାଭାଷାରେ ହ୍ୱାଟ୍‌ସଆପ୍ ସିଇଓ ୱିଲ୍ କ୍ୟାଥକାର୍ଟଙ୍କୁ ପତ୍ର ଲେଖି ଗୋପନୀୟତା ନୀତି ଓ ସର୍ତ୍ତାବଳୀରେ ଏକପାଖିଆ ପରିବର୍ତ୍ତନ ଗ୍ରହଣୀୟ ନୁହେଁ ବୋଲି କହିଛି । ଭାରତରେ ହ୍ୱାଟ୍‌ସଆପ୍‌ର ସବୁଠୁ ବଡ଼ ମାର୍କେଟ୍ । ଏଠାରେ ଏହି ମେସେଜିଂ ଆପ୍‌ର ସବୁଠୁ ଅଧିକ ୟୁଜର ଅଛନ୍ତି । ଏହାର ନୂଆ ପ୍ରାଇଭେସି ପଲିସି ଭାରତୀୟ ନାଗରିକଙ୍କ ପସନ୍ଦ ଓ ସ୍ୱାଧୀନତା ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ତେଣୁ ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ହ୍ୱାଟ୍‌ସଆପ୍ ସିଇଓଙ୍କୁ ମନ୍ତ୍ରାଳୟ କହିଛି । ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା, ସ୍ୱାଧୀନତା ଓ ସୂଚନା ଆଦାନ ପ୍ରଦାନରେ ଗୋପନୀୟତାକୁ ସମ୍ମାନ ଜଣାଇବାକୁ ହ୍ୱାଟ୍‌ସଆପକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ହ୍ୱାଟ୍‌ସଆପ୍ ନିକଟରେ ଏହାର ନୂଆ ପ୍ରାଇଭେସି ପଲିସି ସମ୍ପର୍କରେ ୟୁଜରମାନଙ୍କୁ ସୂଚନା ଦେଇଥିଲା । ଏହି ନୂଆ ପ୍ରାଇଭେସି ପଲିସିକୁ ଫେବୃୟାରୀ ୮,୨୦୨୧ ସୁଦ୍ଧା ଗ୍ରହଣ ନ କଲେ ଆକାଉଣ୍ଟ୍ ଡିଲିଟ୍ ହେବ ବୋଲି ୟୁଜରଙ୍କୁ କୁହାଯାଇଥିଲା । ତେବେ ଏହି ନୂଆ ପ୍ରାଇଭେସି ପଲିସିକୁ ନେଇ ବିବାଦ ଦେଖାଦେବା ପରେ ହ୍ୱାଟ୍‌ସଆପ୍ ଏହି ପ୍ରାଇଭେସି ପଲିସି ଅପଡେଟ୍‌କୁ ମେ’ ଯାଏଁ ଘୁଞ୍ଚାଇବାକୁ ବାଧ୍ୟ ହୋଇଥିଲା । ଏହାରି ଭିତରେ ହ୍ୱାଟ୍‌ସଆପ୍‌ର ୟୁଜର ସଂଖ୍ୟା ମଧ୍ୟ ବେଶ୍ କମିଯାଇଥିଲା । ହ୍ୱାଟସଆପକୁ ଛାଡ଼ି ଲୋକେ ଏହାର ପ୍ରତିଯୋଗୀ ଟେଲିଗ୍ରାମ୍ ଓ ସିଗ୍‌ନାଲ ଆଡକୁ ଢ଼ଳିଥିଲେ ।

Comments are closed.