ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ମୁରଲୀଧରନଙ୍କ କାର୍ ଉପରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ହିଂସା ବନ୍ଦ ହେଉନାହିଁ। ରାଜ୍ୟର ପଶ୍ଚିମ ମିଦନାପୁରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନଙ୍କ କାର୍ ଉପରେ ସ୍ଥାନୀୟ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମୁରଲୀଧରନ୍ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଏହି ଆକ୍ରମଣ ପାାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛନ୍ତି। ଅନ୍ୟପକ୍ଷେ ତୃଣମୂଳ କଂଗ୍ରେସ କହିଛି ଯେ ଏହା ହେଉଛି ବିଜେପିର ଅନ୍ତଃକନ୍ଦଳର ପରିଣାମ ।

ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତା ନିଜ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ୍ ଆଜି ପଶ୍ଚିମ ମିଦନାପୁରରେ ଜଣେ ବିଜେପି କର୍ମୀଙ୍କୁ ଭେଟିବାକୁ ଯାଉଥିଲେ। ଠିକ୍ ସେହି ସମୟରେ କିଛି ଲୋକ ତାଙ୍କ ବାଟ ଓଗାଳି ବାଡ଼ି ଓ ଠେଙ୍ଗାରେ ତାଙ୍କ କାର୍ ଉପରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ଗାଡିର କାଚ ଭାଙ୍ଗି ଯାଇଥିଲା।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ‘ଏହା ଗଣତନ୍ତ୍ର ନୁହେଁ । ଯେଉଁଭଳି ଭାବେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୁରଲୀଧରନଙ୍କୁ ଆଜି ଆକ୍ରମଣ କରାଯାଇଛି, ପଶ୍ଚିମବଙ୍ଗ ସରକାର ଗଣତନ୍ତ୍ରକୁ ଲଜ୍ଜିତ କରିଛନ୍ତି । ଯଦି ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି ତେବେ ସାଧାରଣ ଜନତାଙ୍କ ସହିତ କ’ଣ ଘଟୁଥିବ ? ଆମେ ଏହି ଆକ୍ରମଣକୁ ନିନ୍ଦା କରୁଛୁ। ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ମମତା ବାନାର୍ଜୀ ତାଙ୍କ ଭାଷଣରେ ଏଭଳି ଆକ୍ରମଣର ଧମକ ଦେଇସାରିଛନ୍ତି।

ବଙ୍ଗଳାରେ ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ଜିଲ୍ଲାରେ ରାଜନୈତିକ ହିଂସା ଖବର କ୍ରମାଗତ ଆସୁଛି। ନିର୍ବାଚନ ଫଳାଫଳ ପରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ୪ ଜଣିଆ ଟିମ୍ ଅତିରିକ୍ତ ସଚିବ ସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ହିଂସାକାଣ୍ଡ ନେଇ ତୃଣମୂଳ ସ୍ତରରେ ସ୍ଥିତି ଆକଳନ କରିବାକୁ ଆଜି କୋଲକାତାରେ ପହଞ୍ଚିଛନ୍ତି।

Comments are closed.