ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟ ନିର୍ବାଚନ ବିରୋଧରେ ପିଟିସନ ସୁପ୍ରିମକୋର୍ଟରେ ଖାରଜ | News Room Odisha

ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟ ନିର୍ବାଚନ ବିରୋଧରେ ପିଟିସନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ – ପଶ୍ଚିମବଙ୍ଗରେ ଆଠ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରିବା ନିଷ୍ପତ୍ତି ବିରୋଧରେ ଆଗତ ଏକ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ନିର୍ବାଚନ ପ୍ରଚାରରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାକୁ ବିଜେପିକୁ ବାରଣ କରିବା ପାଇଁ ମଧ୍ୟ କୋର୍ଟ ମନା କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଆବେଦନକାରୀଙ୍କୁ କୋଲକାତା ହାଇକୋର୍ଟ ଯିବାକୁ କହିଛନ୍ତି ।

ଆଇନଜୀବୀ ଏମ୍‌ଏଲ୍ ଶର୍ମାଙ୍କ ଦ୍ୱାରା ଏହି ପିଟିସନ ଦାୟର କରାଯାଇଥିଲା । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ୮ ପର୍ଯ୍ୟାୟରେ କରାଗଲେ ଏହା ସମ୍ବିଧାନର ଧାରା ୧୪ ଓ ୨୧ର ଉଲ୍ଲଂଘନ ବୋଲି ଦର୍ଶାଇ ନିର୍ବାଚନ ଅବଧି କମାଇବାକୁ ଶର୍ମା ଯୁକ୍ତି କରିଥିଲେ । ସେହିପରି ନିର୍ବାଚନୀ ପ୍ରଚାରରେ ଧାର୍ମିକ ସ୍ଲୋଗାନ ନେଇ ବିଜେପି ଓ ଏହାର ନେତାମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେବାକୁ ଶର୍ମା ଆବେଦନ କରିଥିଲେ ।

ନିକଟରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ସମେତ ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ଯାଏଁ ୮ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଆସାମରେ ତିନି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୬ରେ ନିର୍ବାଚନ ହେବ ।