ପାଣ୍ଡ୍ୟାଙ୍କ ସୁପର ଶୋ’: ଦ୍ୱିତୀୟ ଟି୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ସିରିଜ କବ୍‌ଜା କଲା ଭାରତ

ସିଡନୀ – ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ଭାରତ ଟି୨୦ରେ ନେଇଛି । ଶିଖର ଧାୱନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ରବିବାର ଏଠାରେ ଅନୁଷ୍ଠିିତ ଦ୍ୱିତୀୟ ଟି୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ଦେଇଛି । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି ।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୪ ରନ୍‌ର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ଅଷ୍ଟ୍ରେଲିଆ ତରଫରୁ କାମଚଳା ଅଧିନାୟକ ମାଥ୍ୟୁ ୱେଡ୍ ସର୍ବାଧିକ ୫୮ ରନ୍ କରିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ୪୬ ରନ୍ କରିଥିଲେ । ଭାରତ ତରଫରୁ ଟି.ନଟରାଜନ ୨ଟି ୱିକେଟ୍ ନେଇଥିଲେ । ୧୯୫ ରନର ବିଜୟଲକ୍ଷ୍ୟକୁ ଭାରତ ୨ଟି ବଲ୍ ବାକିଥାଇ ହାସଲ କରିନେଇଥିଲା । ଆରମ୍ଭରୁ ଧାୱନ୍ ଓ ରାହୁଲ ଭାରତକୁ ଭଲ ଷ୍ଟାର୍ଟ ଦେଇ ପ୍ରଥମ ୱିକେଟରେ ୩୨ ବଲରେ ୫୬ ରନ୍ ଯୋଗ କରିଥିଲେ । ଧାୱନ୍ ୩୬ ବଲ୍‌ରେ ୪ଟି ଚୌକା ଓ ୨ଟି ଛକା ବଳରେ ୫୨ ରନର ଚିତ୍ତାକର୍ଷକ ପାଳି ଖେଳିଥିବା ବେଳେ ରାହୁଲ ୨୨ ବଲରେ ୩୦ ରନ୍ କରିଥିଲେ । ଅଧିନାୟକ ବିରାଟ କୋହଲି ୨୪ ବଲରୁ ଗୁରୁତ୍ୱପୂର୍ଣ୍ଣ ୪୦ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଶେଷ ଆଡକୁ ପାଣ୍ଡ୍ୟାଙ୍କ ସୁପର ଶୋ’ ବଳରେ ଭାରତ ଘରୋଇ ଦଳ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲା ।

ଶେଷ ଓଭରରେ ବିଜୟ ପାଇଁ ଭାରତକୁ ୧୪ ରନ୍ ଆବଶ୍ୟକ ହେଉଥିଲା ବେଳେ ଡାନିଏଲ ସାମ୍ସଙ୍କ ବୋଲିଂରେ ୨ଟି ବିଶାଳ ଛକା ମାରି ପାଣ୍ଡ୍ୟା ଭାରତର ବିଜୟ ନିଶ୍ଚିତ କରିିଥିଲେ । ପାଣ୍ଡ୍ୟା ମାତ୍ର ୨୨ ବଲରେ ୩ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୪୨ ରନ୍ କରିଥିଲେ । ତାଙ୍କ ସହ ଶ୍ରେୟସ ଆୟର ୧୨ ରନ୍ କରି ଅପରାଜିତ ରହିଥିଲେ । ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଭାରତ ପ୍ରଥମ ଟି୨୦କୁ ୧୧ ରନରେ ଜିତିଥିଲା । ଭାରତ ଏବେ ବିଦେଶ ମାଟିରେ କ୍ରମାଗତ ୧୦ଟି ବିଜୟ ସହ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ।

Comments are closed.