ପୁଡୁଚେରୀ: ଆସ୍ଥା ଭୋଟ୍‌ରେ ହାରିବା ପରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଇସ୍ତଫା

ଚେନ୍ନାଇ – କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀରେ କଂଗ୍ରେସ ସରକାରର ପତନ ଘଟିଛି । ଆଜି ବିଧାନସଭାରେ ହୋଇଥିବା ଆସ୍ଥା ଭୋଟ୍‌ରେ କଂଗ୍ରେସ ସରକାର ପରାସ୍ତ ହୋଇଛି । ଏହାପରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ଇସ୍ତଫା ଦେଇଛନ୍ତି ।

ଆସ୍ଥା ଭୋଟ୍ ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହରୁ ୱାକ୍ ଆଉଟ୍ କରିଥିଲେ । ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି । ଚଳିତ ବର୍ଷ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ତେବେ କାର୍ଯ୍ୟକାଳ ପୂରା କରିବା ପୂର୍ବରୁ ନାରାୟଣସ୍ୱମୀ ସରକାରର ପତନ ଘଟିଛି ।
ଫ୍ଲୋର୍ ଟେଷ୍ଟ ପୂର୍ବରୁ ନାରାୟଣସ୍ୱାମୀ ସରକାର ନିଜ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ବୋଲି ବିଧାନସଭା ବାଚସ୍ପତି ଘୋଷଣା କରିଥିଲେ । କଂଗ୍ରେସର ପାଞ୍ଚ ବିଧାୟକ ଏବଂ ସହଯୋଗୀ ଦଳ ଡିଏମ୍‌କେର ଜଣେ ବିଧାୟକ ଇସ୍ତଫା ଦେବା ପରେ ନାରାୟଣସ୍ୱାମୀ ସରକାର ବହୁମତ ହରାଇଥିଲା ।

ନିକଟରେ ରାଷ୍ଟ୍ରପତି ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ପଦରୁ ହଟାଇଥିଲେ । ତାଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ନାରାୟଣସ୍ୱାମୀ ସରକାରକୁ ଫେବୃୟାରୀ ୨୨ରେ ନିଜ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ କୁହାଯାଇଥିଲା । ନାରାୟଣସ୍ୱାମୀ ସରକାରର ପତନ ପରେ ପୁଡୁରେୀରେ ଏବେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ।

Comments are closed.