ପୁଣି ରେକର୍ଡ ସଂକ୍ରମଣ: ଦିନକରେ ଆସିଲା ୧.୬୮ ଲକ୍ଷ ମାମଲା, ସଂକ୍ରମଣରେ ବ୍ରାଜିଲକୁ ଟପିଲା ଭାରତ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ପୁଣି ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧.୬୮ ଲକ୍ଷ ମାମଲା ଚିହ୍ନଟ ହୋଇଛି । ଏଥିସହ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୫ ଲକ୍ଷ ଟପିଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଭାରତ ଏବେ ବ୍ରାଜିଲକୁ ଟପିଯାଇଛି । ସର୍ବାଧିକ ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ଆମେରିକା ପରେ ଭାରତ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛି । ଦୈନିକ ସଂକ୍ରମଣ କ୍ରମାଗତ ଦ୍ୱିତୀୟ ଦିନ ଦେଢ଼ ଲକ୍ଷ ପାର୍ କରିଛି । ଗତକାଲି ପ୍ରଥମ ଥର ସଂକ୍ରମଣ ଦେଢ଼ ଲକ୍ଷ ଟପିଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ କରୋନାରେ ୯୦୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ରୋଗରୁ ଦିନକରେ ୭୫ ହଜାରରୁ ଊର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇଛନ୍ତି ।

ଭାରତରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭ରେ ପହଞ୍ଚିଛି । ଏଯାବତ୍ ଏହି ମହାମାରୀରେ ୧ ଲକ୍ଷ ୭୦ ହଜାର ୧୭୯ ଜଣ ପ୍ରାଣ ହରାଇଛନ୍ତି ଏବଂ ୧ କୋଟି ୨୧ ଲକ୍ଷ ୫୬ ହଜାର ୫୨୯ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ସକ୍ରିୟ ମାମଲା ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଦେଶରେ ଏବେ ମୋଟ ସକ୍ରିୟ ମାମଲା ୧୨ ଲକ୍ଷ ଟପିଯାଇଛି । ସଦ୍ୟତମ ତଥ୍ୟ ଅନୁସାରେ ଦେଶରେ ୧୨ ଲକ୍ଷ ଏକ ହଜାର ୯ ଜଣ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.