ପୁରୁଣା ଭୁବନେଶ୍ୱର ସ୍ଥିତ ‘ ଅରଣ୍ୟ ’ ଫରେଷ୍ଟ ରେଷ୍ଟ ହାଉସ୍‌ର ନୂତନ ବ୍ଲକ୍ ଉଦ୍‌ଘାଟିତ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ବିବେକାନନ୍ଦ ମାର୍ଗରେ ଥିବା ଫରେଷ୍ଟ ରେଷ୍ଟ ହାଉସ୍ ଅରଣ୍ୟ’ର ନୂତନ ବ୍ଲକକୁ ଆଜି ଜଙ୍ଗଲ ଓ ପରିବେଶ , ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ବିଜ୍ଞାନ ଓ କାରିଗରୀ , ସାଧାରଣ ଉଦ୍ୟୋଗ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଜଙ୍ଗଲ ଓ ପରିବେଶ ବିଭାଗ ଡ . ମୋନା ଶର୍ମା , ଓ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ . ସଂଦୀପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀମାନେ ସରକାରୀ କାର୍ଯ୍ୟରେ ରାଜଧାନୀ ଭୁବନେଶ୍ୱରକୁ ବହୁ ସମୟରେ ଆସିଥାନ୍ତି । ଭୁବନେଶ୍ୱରରେ ରହିବା ପାଇଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି । ଏହାକୁ ଦୃଷ୍ଟିରେ ରଖ୍ ‘ ଅରଣ୍ୟ ’ ଫରେଷ୍ଟ ରେଷ୍ଟ ହାଉସ୍‌କୁ ସଂପ୍ରସାରିତ କରିବା ପାଇଁ ମନ୍ତ୍ରୀ ଆରୁଖ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଭାରତୀୟ ପ୍ରତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସୁରକ୍ଷିତ ସ୍ମାରକୀ ଭାବେ ସ୍ୱୀକୃତ ନବକିଶୋର ମନ୍ଦିରଠାରୁ ୩୦୦ ମିଟର ବ୍ୟାସାର୍ବ ମଧ୍ୟରେ ଏହି ‘ ଅରଣ୍ୟ ଫରେଷ୍ଟ ରେଷ୍ଟ ହାଉସ୍ ଥିବାରୁ ନୂତନ ନିର୍ମାଣ ପାଇଁ ଜାତୀୟ ସ୍ମାରକ କର୍ତ୍ତୁପକ୍ଷଙ୍କ ‘ ଆପତ୍ତି ନାହିଁ ପ୍ରମାଣପତ୍ର ’ ହାସଲ ପାଇଁ ପତ୍ର ଲେଖାଯାଇଥିଲା ଓ ଏହି ପ୍ରମାଣପତ୍ର ୨୦୧୬ ମସିହା ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କ ପାଖକୁ ଆସିଥିଲା ।

ଏହି ନୂତନ ବ୍ଲକ୍ ନିର୍ମାଣ ପାଇଁ ଇଡ୍‌କୋ ସହ ଏକ ବୁଝାମଣା ପତ୍ର ୨୦୧୭ ମସିହା ଫେବୃଆରୀ ୨୧ ତାରିଖରେ ସ୍ଵାକ୍ଷରିତ ହୋଇଥିଲା ଓ ୨୦୧୭ ମସିହା ମାର୍ଚ୍ଚ ୩ ତାରିଖରେ ମନ୍ତ୍ରୀ ଆରୁଖ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨ କୋଟି ୪୪ ହଜାର ଟଙ୍କା ବିନିଯୋଗରେ ଇଡ୍‌କୋ ‘ ଅରଣ୍ୟ ’ ଫରେଷ୍ଟ ରେଷ୍ଟ ହାଉସ୍‌ର ଏହି ନୂତନ ବ୍ଲକ୍‌ର ନିର୍ମାଣ କାର୍ଯ୍ୟ ସମାପ୍ତ କରିଛି । ଏହି ବ୍ଲକ୍‌ରେ ୧୦ଟି ଅତ୍ୟାଧୁନିକ ପ୍ରକୋଷ୍ଠ ରହିଛି । ଜଙ୍ଗଲ ଅଧୁକାରୀମାନଙ୍କ ରାଜଧାନୀରେ ରହଣି ପାଇଁ ଏହି ନୂତନ ବ୍ଲକ୍ ବେଶ୍ ଉପକାରୀ ସାବ୍ୟସ୍ତ ହେବ ।

Comments are closed.