ପ୍ରଥମ ଦଳ ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡ

ଦୁବାଇ – କୋଭିଡ୍-୧୯ ଯୋଗୁଁ ଅଷ୍ଟ୍ରେଲିଆର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ ରହିବା ପରେ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲକୁ ଉନ୍ନୀତ ହୋଇଛି । ନ୍ୟୁଜିଲାଣ୍ଡର ଏବେ ୭୦ ପ୍ରତିଶତ ପଏଣ୍ଟ୍ ରହିଛି । ଅଷ୍ଟ୍ରେଲିଆର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ ରହିବା ଦ୍ୱାରା ନ୍ୟୁଜିଲାଣ୍ଡର ପଏଣ୍ଟରେ ପରିବର୍ତ୍ତନ ସମ୍ଭାବନା ନାହିଁ । ତେଣୁ ଫାଇନାଲରେ ଦଳର ସ୍ଥାନ ପକ୍କା ହୋଇଛି । ଫେବୃୟାରୀ ୫ରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ବିଜେତା ବିଶ୍ୱ ଚାମ୍ପିୟନସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ସହ ଖେଳିବ ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ତାଲିକାରେ ଭାରତ ବର୍ତ୍ତମାନ ୭୧.୭ ପ୍ରତିଶତ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୭୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୬୯.୨ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୬୫.୨ ପ୍ରତିଶତ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛି । ଫେବୃୟାରୀ ୫ରୁ ଆରମ୍ଭ ହେଉଥିବା ଚାରି ମ୍ୟାଚ୍ ସିରିଜରେ ଇଂଲଣ୍ଡକୁ ଯଦି ଭାରତ ୨-୦ରେ ହରାଏ, ତେବେ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବ । ଫାଇନାଲକୁ ଉନ୍ନୀତ ହେବାକୁ ହେଲେ ଇଂଲଣ୍ଡକୁ ୩-୦ କିମ୍ବା ୩-୧ ବ୍ୟବଧାନରେ ସିରିଜ ଜିତିବାକୁ ପଡିବ । ଯଦି ଏହି ସିରିଜ ଡ୍ର ରୁହେ, ତେବେ ଅଷ୍ଟ୍ରେଲିଆ ପାଇଁ ସୁଯୋଗ ସୃଷ୍ଟି ହେବ । ଉଲ୍ଲେଖଯୋଗ୍ୟ ଯେ, ଜୁନ ୧୮ରେ ଲର୍ଡ୍ସରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳାଯିବ ।

Comments are closed.