ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ବନରାଜ ଭାଟିଆଙ୍କ ୯୩ ବର୍ଷ ବୟସରେ ପରଲୋକ

ମୁମ୍ବାଇ –ଜାତୀୟ ପୁରସ୍କାରପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ବନରାଜ ଭାଟିଆଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ଅନେକ ଦିନ ହେଲା ଅସୁସ୍ଥ ଥିଲେ । ଅନେକ ହିନ୍ଦି କଳାତ୍ମକ ଫିଲ୍ମ, ଟିଭି ଧାରାବାହିକ ଓ ବିଜ୍ଞାପନ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ ବନରାଜ ଭାଟିଆ । ୩୬ ଚୌରଙ୍ଗୀ ଲେନ୍‌, ଜାନେ ଭି ଦୋ ୟାରୋ, ଅଙ୍କୁର, ତରଙ୍ଗ, ଦ୍ରୋହକାଲ, ଭୂମିକା, ସର୍ଦ୍ଦାରୀ ବେଗମ ଭଳି ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ନିର୍ମାତା ନିର୍ଦ୍ଦେଶକ ଶ୍ୟା ବେନେଗଲଙ୍କ ସେ ଥିଲେ ପ୍ରିୟ ସଂଗୀତ ନିର୍ଦ୍ଦେଶକ । ଅଜୁବା, ବେଟା, ଦାମିନୀ, ଘାତକ, ପରଦେଶ,ଚମେଲୀ ଭଳି ଅନେକ ବ୍ୟବସାୟିକ ହିନ୍ଦି ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଦେଇଥିଲେ ବନରାଜ ଭାଟିଆ ।

ଗୋବିନ୍ଦ ନିହାଲନୀଙ୍କ ‘ତମସ’ ପାଇଁ ତାଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଖାନଦାନ, ୱାଗଲେ କି ଦୁନିଆ, ନକାବ, ଲାଇଫଲାଇନ, ଭାରତ ଏକ ଖୋଜ୍ ପରି ଲୋକପ୍ରିୟ ଟିଭି ଧାରାବାହିକରେ ବି ସଂଗୀତ ନିର୍ଦ୍ଦେଶକ ଥିଲେ ବନରାଜ ଭାଟିଆ । ତାଙ୍କୁ ୧୯୮୯ରେ ସଂଗୀତ ନାଟକ ଏକାଡେମୀ ଓ ୨୦୧୨ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।

Comments are closed.