ବକ୍ସିଂ ଡେ’ ଟେଷ୍ଟ: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ, ଅଷ୍ଟ୍ରେଲିଆ ୧୯୫ରେ ଆଉଟ୍

‌ମେଲବୋର୍ଣ୍ଣ – ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଏଠାରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ମାତ୍ର ୧୯୫ ରନରେ ଅଲ୍ ଆଉଟ୍ କରିଦେଇଛି । ଏହାର ଜବାବରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୩୬ ରନ୍ କରିଛି । ଡେବ୍ୟୁଟାଣ୍ଟ୍ ଶୁବମନ ଗିଲ୍ ୨୮ ଓ ଚେତେଶ୍ୱର ପୂଜାରା ୭ ରନ୍ କରି ଅପରାଜିତ ଅଛନ୍ତି । ପ୍ରଥମ ଓଭରରେ ହିଁ ମୟଙ୍କ ଅଗ୍ରୱାଲ ଶୂନରେ ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ ।

ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଏକ ଭଲ ପିଚ୍‌ରେ ଭାରତୀୟ ବୋଲରମାନେ ଶାଣିତ ପ୍ରଦର୍ଶନ ସହ ଅଷ୍ଟ୍ରେଲୀୟ ବ୍ୟାଟିଂ ଲାଇନ୍ ଅପ୍‌କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ଅଷ୍ଟ୍ରେଲିଆ ଚା’ପାନ ବିରତି ପରେ ୧୯୫ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା । ଦଳ ତରଫରୁ ମାର୍ନସ ଲାବୁସେନ୍ ସର୍ବାଧିକ ୪୮ ରନ୍ କରିଥିବା ବେଳେ ଟ୍ରାଭିସ୍ ହେଡ୍ ୩୮ ଓ ମାଥ୍ୟୁ ୱେଡ୍ ୩୦ ରନ୍ କରିଥିଲେ । ଭାରତ ତରଫରୁ ଯଶପ୍ରୀତ ବୁମରା ୪ଟି ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ୱିକେଟ୍ ନେଇଥିଲେ । ନିଜ ପଦାର୍ପଣ ଟେଷ୍ଟ ଖେଳୁଥିବା ଯୁବ ପେସର ମହମ୍ମଦ ସିରାଜ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ୨ଟି ୱିକେଟ୍ ନେଇଥିଲେ । ଆଡିଲେଡ୍ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି । ଆଡିଲେଡ୍ ଟେଷ୍ଟ ପରେ ଅଧିନାୟକ ବିରାଟ କୋହଲି ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ଭାରତ ଫେରିଛନ୍ତି । ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ ଦଳର ନେତୃତ୍ୱ ନେଉଛନ୍ତି । ମେଲବୋର୍ଣ୍ଣ ଟେଷ୍ଟରେ ଗିଲ୍ ଓ ସିରାଜ୍ ନିଜ ଟେଷ୍ଟ ଡେବ୍ୟୁ କରିଛନ୍ତି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ୱିକେଟକିପର ବ୍ୟାଟ୍‌ସମ୍ୟାନ୍ ରିଷଭ ପନ୍ତ ମଧ୍ୟ ଭାରତୀୟ ଏକାଦଶରେ ସାମିଲ ହୋଇଛନ୍ତି ।

Comments are closed.