ବିଦେଶୀ ଛାତ୍ରଙ୍କୁ ଆକର୍ଷିତ କରିବା ଲକ୍ଷ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଖୋଲିଲା ଆନ୍ତର୍ଜାତୀୟ ବ୍ୟାପାର ବିଭାଗ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବାକୁ ନୂତନ କୁଳପତି ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଏହି ଅନୁଷ୍ଠାନକୁ ବିଦେଶୀ ଛାତ୍ରଙ୍କୁ ଆକର୍ଷିତ କରିବା ପାଇଁ ଆଜିଠାରୁ ଶୁଭାରମ୍ଭ ହୋଇଛି ଆନ୍ତର୍ଜାତୀୟ ବ୍ୟାପାର ବିଭାଗ । ଏହି ବିଭାଗ ଦ୍ବାରା ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ କହିଛନ୍ତି ।

ଜ୍ୟୋତିବିହାର ପରିସରରେ ଏହାର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଛି । କୁଳପତି ପ୍ରଫେସର ମିତ୍ତଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଭାଗର ଅଧ୍ୟକ୍ଷ ପ୍ରଫେସର ସଜିଂତ ସାହୁ , ନିର୍ଦ୍ଦେଶକ ପ୍ରଫେସର ଅରୁଣ କୁମାର ଆଚାର୍ଯ୍ୟ ଏବଂ ବ୍ୟବସାୟ ବିଭାଗର ପ୍ରଫେସର ବିଶ୍ୱଜିତ ଶତପଥୀ ପ୍ରମୁଖ ସାମିଲ ହୋଇଥିଲେ । ଏହି ବିଭାଗ ଦ୍ୱାରା ବିଶ୍ୱର ସବୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସହିତ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ବିନିୟମ କାର୍ଯ୍ୟକ୍ରମ ସ୍ଥାପନ ହେବ । ବିଦେଶୀ ଛାତ୍ରଙ୍କୁ ଏଠାରେ ନାମଲେଖା ସୁଯୋଗ ଦିଆଯିବ । ଏହାଦ୍ଵାରା ଏହି ଅଞ୍ଚଳର କଳା , ସଂସ୍କୃତି , ଭାଷା ଆଦି ବିଶ୍ଵଦରବାରରେ ପହଞ୍ଚିପାରିବ ବୋଲି କୁଳପତି ପ୍ରକାଶ କରିଛନ୍ତି ।

ଛାତ୍ର ବିନିମୟ କାର୍ଯ୍ୟକ୍ରମ ଏଠି କାର ଛାତ୍ର ମାନଙ୍କୁ ଆନ୍ତର୍ଜାତୀୟ ଏକ୍ସପୋଜର ଦେଇପାରିବ । ପୁଣି ଏହା ବିଶ୍ୱସ୍ତରୀୟ ଗବେଷଣା ପାଇଁ ବାଟ ଉନ୍ମୁକ୍ତ କରିବ । ପରୋକ୍ଷରେ ଏହା ନାକ୍ କମିଟିର ରାଙ୍କିଙ୍ଗ୍ ହାସଲ ପାଇଁ ବି ସହଯୋଗ କରିବ ବୋଲି ସେ ପ୍ରକାଶ କରିଛନ୍ତି । ଅତୀତରେ ଅନେକ ବିଶ୍ୱସ୍ତରୀୟ ଅନୁଷ୍ଠାନ ସହିତ ଏମ୍‌ଓୟୁ ହୋଇଥିବା ବେଳେ ଆଗକୁ ମଧ୍ୟ ଅନେକ ଏମ୍ଓୟୁ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାଛଡା ଏହି ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଜୁ ଛାତ୍ରାବାସ ନିର୍ମାଣ କରିବାକୁ ସ୍ଥିର ହୋଇଥିବା ସେ ପ୍ରକାଶ କରିଛନ୍ତି । ୫୬ଟି ପ୍ରକୋଷ୍ଠ ବିଶିଷ୍ଟ ଏହି ଛାତ୍ରାବାସ ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିବା ବେଳେ ଏହାର ମଞ୍ଜୁରୀ ପାଇଁ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ ବୋଲି ପ୍ରଫେସର ମିତ୍ତଲ ପ୍ରକାଶ କରିଛନ୍ତି ।

Comments are closed.