ବିଧାନସଭା ନିର୍ବାଚନ ଫଳାଫଳ: ପଶ୍ଚିମବଙ୍ଗରେ ଦିଦିଙ୍କ ହ୍ୟାଟ୍ରିକ୍‌, ତାମିଲନାଡୁରେ ଡିଏମ୍‌କେ, କେରଳରେ ଏଲ୍‌ଡିଏଫ୍‌ର ଐତିହାସିକ ବିଜୟ

ନୂଆଦିଲ୍ଲୀ: କରୋନାର ରେକର୍ଡ ମାମଲା ଭିତରେ ପ୍ରାୟ ଦୁଇମାସ ଧରି ଚାଲିଥିବା ନିର୍ବାଚନ ପ୍ରକ୍ରିୟା ପରେ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଭୋଟ୍ ଗଣନା ଚାଲିଛି । ଭୋଟ୍ ଗଣନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ସଦ୍ୟତମ ଟ୍ରେଣ୍ଡ୍ ମୁତାବକ ତିନି ରାଜ୍ୟ ପଶ୍ଚିମବଙ୍ଗ, କେରଳ ଓ ଆସାମରେ ସମ୍ପୃକ୍ତ ଶାସକ ଦଳ କ୍ଷମତା ବଜାୟ ରଖିବା ନିଶ୍ଚିତ ହୋଇଛି । ଫୋକସରେ ଥିବା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ହ୍ୟାଟ୍ରିକ୍ କରିବାକୁ ଯାଉଛି । ଏଠାରେ ବିଜେପିର ସବୁ ଅଙ୍କ ଫେଲ୍ ମାରିଛି । ମମତା କ୍ରମାଗତ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛନ୍ତି । ସତ୍ୟତମ ଟ୍ରେଣ୍ଡ୍ ଅନୁସାରେ ୨୯୨ ଆସନରୁ ମମତାଙ୍କ ଟିଏମ୍‌ସି ୨୦୫ ଆସନରେ ଅଗ୍ରଣୀ ରହିଛି । ବିଜେପି ମାତ୍ର ୯୫ରୁ ୧୦୦ ଆସନରେ ଆଗୁଆ ରହିଛି । ଯଦିଓ ବିଜେପି ୨୦୧୬ ନିର୍ବାଚନ ତୁଳନାରେ ଏଥର ଉନ୍ନତ ପ୍ରଦର୍ଶନ କରିଛି ତେବେ ଦଳ ଦୁଇଅଙ୍କ ଭିତରେ ସୀମିତ ରହିବ ବୋଲି ମନେ କରାଯାଉଛି ।

ତାମିଲନାଡୁରେ ଏଆଇଏଡିଏମ୍‌କେ ଓ ବିଜେପି ମେଣ୍ଟକୁ ପଛରେ ପକାଇ ଡିଏମ୍‌କେ ଦୀର୍ଘ ୧୦ ବର୍ଷ ପରେ ଶାସନ କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇଛି । ୨୩୪ ଆସନ ମଧ୍ୟରୁ ଡିଏମ୍‌କେ ବର୍ତ୍ତମାନ ୧୩୫ରୁ ଊର୍ଦ୍ଧ୍ୱ ଆସନରେ ଅଗ୍ରଣୀ ରହିଛି ।

କେରଳରେ ଐତିହାସିକ ବିଜୟ ଆଡକୁ ଅଗ୍ରସର ହେଉଛି ଏଲ୍‌ଡିଏଫ୍ । ଏଠାରେ ପିନରୟୀ ବିଜୟନ ପୁଣିଥରେ ସରକାର ଗଠନ କରିବାକୁ ଯାଉଛନ୍ତି । ମୋଟ ୧୪୦ ଆସନ ମଧ୍ୟରୁ ଏଲ୍‌ଡିଏଫ୍ ୯୭ ଆସନରେ ଅଗ୍ରଣୀ ରହି ସଂଖ୍ୟା ଗରିଷ୍ଠତା ହାସଲ କରିବା ନିକଟତର ହୋଇଛି । ଅନ୍ୟପକ୍ଷେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମାତ୍ର ୪୩ ଆସନରେ ଆଗୁଆ ରହିଛି । ରାଜ୍ୟରେ ଦୀର୍ଘ ଚାରି ଦଶନ୍ଧି ପରେ ପ୍ରଥମ ଥର ଏକ ନିର୍ଦ୍ଦିଷ୍ଟ ଦଳ ଗାଦି ବଜାୟ ରଖିବ । କେରଳରେ ୧୯୮୦ ପରଠାରୁ ପ୍ରତି ପାଞ୍ଚ ବର୍ଷରେ ଏଲ୍‌ଡିଏଫ୍ ଏବଂ ୟୁଡିଏଫ୍ ସରକାର ଗଠନ କରିଛି । ଏହି ଧାରା ଏବେ ବଦଳିବାକୁ ଯାଉଛି । ସରକାର ବରୋଧୀ ହାୱା ସତ୍ତ୍ୱେ ଏଲ୍‌ଡିଏଫ୍ କ୍ରମାଗତ ଦ୍ୱିତୀୟ ଥର କ୍ଷମତାକୁ ଫେରିବ ।

ଆସାମରେ ମଧ୍ୟ ବିଜେପି ପୁଣି କ୍ଷମତାକୁ ଫେରିବା ସଦ୍ୟତମ ଟ୍ରେଣ୍ଡ୍‌ରୁ ସ୍ପଷ୍ଟ ହୋଇଛି । ୧୨୬ ଆସନ ମଧ୍ୟରୁ ବିଜେପି ଏବେ ୮୩ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ଓ ସହଯୋଗୀ ଦଳ ୪୨ ସିଟ୍‌ରେ ଅଗ୍ରଣୀ ରହିଛନ୍ତି ।

ପୁଡୁଚେରୀର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଠନ କରିବା ଦିଗରେ ଅଗ୍ରସର ହେଉଛି । ୩୦ ଆସନରୁ ଏନ୍‌ଡିଏ ସମ୍ପ୍ରତି ୮ଟି ଆସନରେ ଆଗୁଆ ରହିଥିବା ବେଳେ ୟୁପିଏ ୩ଟି ଆସନରେ ଆଗୁଆ ରହିଛି ।

 

Comments are closed.