ବିବାହ ବନ୍ଧନରେ ଜଳକନ୍ୟା ସୋନି

କନ୍ୟାଦାନ କଲେ ବିଧାୟକ କିଶୋର ମହାନ୍ତି

ଝାରସୁଗୁଡା: ଶେଷରେ ଜଳକନ୍ୟା ସୋନି ହାତକୁ ଦୁଇହାତ ହେଇଛି । ବିବାହ ବନ୍ଧନରେ ଆବଦ୍ଧ ହୋଇଛି ଏହି ଚର୍ଚିତ ଯୁବତୀ । ଦୀର୍ଘ ୫ବର୍ଷ ତଳେ ମହାନଦୀର ପ୍ରଖର ସ୍ରୋତରେ ଛତିଶଗଡରୁ ଭାସି ଆସିଥିବା ସୋନିର ବିବାହ ପାଇଁ ଝାରସୁଗୁଡା ଜିଲ୍ଲାର କୁଶମେଲ ଗାଁ ଉତ୍ସବମୁଖର ହୋଇଉଠିଛି । ଏହି ବେସାହାରା ଝିଅକୁ କନ୍ୟାଦାନ କରି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଏବଂ ତାଂକ ଧର୍ମପତ୍ନୀ ବେଶ ଭାବୁକ ହୋଇଯାଇଛନ୍ତି ।
ଦିନେ ସୋନୀ ମହାନଦୀ ଜଳର ପ୍ରଖର ସ୍ରୋତରେ ପ୍ରାୟ 70 କିଲୋମିଟର ଭାସିଭାସି ଛତିଶଗଡ଼ ରୁ ଆସି ଓଡ଼ିଶା ସୀମାନ୍ତରେ କୂଳରେ ଲାଗିଲା। ଅଚେତ ଅବସ୍ଥାରେ ସୋନିକୁ କୁଶମେଲ ଗାଁ ଲୋକେ ଉଦ୍ଧାର କରିବା ପରେ ଜଣେ ମତ୍ସ୍ୟଜୀବୀ ତାକୁ ଝିଅ ଭାବେ ପାଳିଥିଲେ। ଆଉ କନ୍ୟାଦାନ କରିଥିବା ବିଧାୟକ ମଧ୍ୟ 2006 ମସିହାରେ ଏକ ଦୁର୍ଘଟଣାର ଶିକାର ହୋଇ ପାଣି ଭିତରେ ବୁଡି ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ଆଜି ସଂଯୋଗ ସେ ଜଳକନ୍ୟା କୁ କନ୍ୟାଦାନ କଲେ।
ଆଜିକୁ ଠିକ ପାଞ୍ଚ ବର୍ଷ ତଳେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର କୁଶମେଲ ଗାଁ’ ହଠାତ ଚର୍ଚ୍ଚାର ପରିଧି ଭିତରକୁ ଚାଲି ଆସିଥିଲା। ଛତିଶଗଡର ଜଣେ ଝିଅ ସୋନୀ ଯାଦବ ଛତିଶଗଡର ଚନ୍ଦରପୁରର ଚନ୍ଦ୍ରହାସିନୀ ମନ୍ଦିର ନିକଟରେ ମହାନଦୀକୁ ଗୋଡ ଧୋଇବାକୁ ଯାଇ ପାଣିରେ ଭାସିଯାଇଥିଲା । 2016 ମସିହା ସେପ୍ଟେମ୍ବର 13 ତାରିଖ ସଂଧ୍ୟାରେ ଭାସି ଯାଇ 12 ଘଣ୍ଟା ପାଣି ଭିତରେ ରହିବା ପରେ ମହାନଦୀର ଗଭୀର ଜଳସ୍ରୋତ ରେ ପ୍ରାୟ 70 କିମି ଭାସି ଆସିଥିଲା । ପରଦିନ ସକାଳେ ଓଡିଶାର କୁସମେଲ ନିକଟରେ ମତ୍ସ୍ୟଜୀବୀ ମାନେ ତାକୁ ଦେଖି ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ | ଉଦ୍ଧାର ହୋଇଥିବା ଝିଅ ଜଣକ ହେଉଛି ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସାରଙ୍ଗଗଡ଼ ଥାନା ଜେବ୍ରା ଗାଁର ବାପାମା ଛେଉଣ୍ଡ ସୋନି ଯାଦବ।

ଗାଁର ମତ୍ସ୍ୟଜୀବୀ ସନ୍ନ୍ୟାସୀ କାଲୋ ତାଙ୍କୁ ଉଦ୍ଧାର କରି ଝିଅଟିକୁ ସେ ପୁନର୍ଜନ୍ମ ଦେଇଥିଲେ । ଏହି ଖବର ସେତେବେଳେ କେବଳ ଝାରସୁଗୁଡ଼ା ନୁହେଁ, ସାରା ଓଡ଼ିଶାରେ ଚହଳ ପକାଇଥିଲା । ବନ୍ୟା ଜଳରେ ପ୍ରାୟ 70 କିଲୋମିଟର ଭାସିଯାଇ ଜଣେ ଜୀବିତ ରହିବା କୌଣସି ଚମତ୍କାର ଏବଂ ଅଲୌକିକ ଘଟଣା ଠାରୁ କମ୍ ନଥିଲା। ତେବେ ସୋନି ଡାକ୍ତରଖାନାରୁ ନିଜ ଗାଁକୁ ଯାଇଥିଲେ ହେଁ ମାତ୍ର କିଛିଦିନ ମଧ୍ୟରେ ତାକୁ ଉଦ୍ଧାର କରିଥିବା ସନ୍ୟାସୀଙ୍କ ପାଖକୁ ଫେରି ଆସିଥିଲା । ଯିଏ ପୁର୍ନଜନ୍ମ ଦେଇଛି ତା ପାଖରେ ହିଁ ରହିବି ବୋଲି ଜିଦ୍ ଧରିଥିଲା । ତେବେ ସନ୍ୟାସୀଙ୍କ ମଧ୍ୟ ଝିଅ ନଥିବାରୁ ତାକୁ ସେ ପାଳିତ କନ୍ୟା ଭାବେ ଗ୍ରହଣ କରି ନେଇଥିଲେ । ସେତେବେଳେ ନାବାଳିକା ଥିବା ସୋନି ଏବେ ସାବାଳିକା ହୋଇସାରିଛି।ଆଜି ସୋନୀର ବାହାଘର ଧୁମଧାମରେ କୋଭିଡ କଟକଣା ମଧ୍ୟରେ ଛତିଶଗଡର ଧରମଜୟଗଡର ପୁରୁଷୋତ୍ତମଙ୍କ ସହ ବିବାହ ଅନୁଷ୍ଠିତ ହୋଇଯାଇଛି | ହାତରେ ମେହେନ୍ଦି, ପାଦରେ ପାଉଁଜି ସହ କନିଆ ବେଶରେ ସଜେଇ ହୋଇ ବାହାବେଦୀରେ ବିଧାୟକ କିଶୋର ମହାନ୍ତି ଦମ୍ପତ୍ତିକୁ ମାତା ପିତା ଭାବେ ପାଇ ନିଜର ଜୀବନସାଥୀ ସହ ବେଦୀରେ ବସି ବାହା ହୋଇଛି ସୋନୀ | ସୋନୀର ବାହାଘର କରିବାର ସୌଭାଗ୍ୟ ଅର୍ଜନ କରି ବିଧାୟକଙ୍କ ପତ୍ନୀ ସୋନୀକୁ ନିଜର ବଡ ଝିଅ ଭାବେ ବର୍ଣ୍ଣନା କରି ତାର ସୁଖଦୁଖରେ ଭାଗିଦାର ହେବେ ବୋଲି କହିବା ସହ ତାଙ୍କୁ ଏଭଳି ସୁଯୋଗ ମିଳିଥିବାରୁ ସେ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି |

ଅନ୍ୟପକ୍ଷରେ ବାହାବେଦୀରେ ବସି ଓଡିଶା ଛାଡି ପୁଣି ନିଜ ଜନ୍ମକଲା ମାଟିକୁ ବୋହୁ ହୋଇ ଫେରିଯାଉଥିଲେ ମଧ୍ୟ ଓଡିଶାକୁ ଭୁଲିବା ସମ୍ଭବ ନୁହେଁ ବୋଲି କହିଛି ସୋନୀ ଯାଦବ |
ଆଜି କୁସୁମେଲ ଗାଁକୁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ପତ୍ନୀ ପହଞ୍ଚିଥିଲେ | ସାଙ୍ଗରେ ନେଇଯାଇଥିଲେ ନିଜର ଝିଅ ଭାବେ କନ୍ୟାଦାନ କରିବାକୁ ଥିବା ସୋନୀ ପାଇଁ ସୁନା ଅଳଙ୍କାର, ଠାରୁ ଆରମ୍ଭ କରି ବାସନକୁସନ, ଅନ୍ୟାନ୍ୟ ଆସବାବ ପତ୍ର ସହ ଗୋଟିଏ ପ୍ଲେଜର ଗାଡି | ଗାଁ ମଣ୍ଡପରେ ପାଳିତ ପିତା ସନ୍ୟାସୀ କାଲୋ ଏବଂ କୁସୁମେଲ ଗ୍ରାମବାସୀ ଉପସ୍ଥିତ ରହି ବରବଧୁଙ୍କୁ ଆର୍ଶିବାଦ କରିଥିଲେ । ହାତଗଣ୍ଠି ପଡିବା ପରେ ନବବଧୁଙ୍କୁ ବିଦାୟ କରାଗଲା | କିନ୍ତୁ ବେଦୀରେ କନ୍ୟାଦାନ ଚାଲିଥିବା ସମୟରେ ଉଭୟେ ପାଳିତ ପିତା ସନ୍ୟାସୀ କାଲୋ ଓ ମାତା ଅହଲ୍ୟାଙ୍କ ସହ ବିଧାୟକ ଦମ୍ପତ୍ତିଙ୍କ ଆଖିରେ ଲୁହ ଅଟକି ନଥିଲା | ପରିସ୍ଥିତିରେ ସାମାନ୍ୟ ଗମ୍ଭୀରତା ଦେଖାଦେଇଥିଲା | ବାହାଘର ପାଇଁ ଭୋଜି ଭାତର ମଧ୍ୟ ଆୟୋଜନ ହୋଇଥିଲା | କିନ୍ତୁ କୋଭିଡ କଟକଣା ପାଇଁ ସେଥିରେ ସାମାନ୍ୟ ଅଙ୍କୁଶ ଲଗାଯାଇଥିଲା | ସୋନୀର ବାହାଘର ଏକ ଭାଗ୍ଯ ବୋଲି କହିଛନ୍ତି ବିଧାୟକ କିଶୋର ମହାନ୍ତି | ଏଥିସହ ଜଳକନ୍ଯାର ବାହାଘରରେ ତାଙ୍କ ସାମିଲକୁ ନେଇ ଏହା ଦ୍ୱାରା ଛତିଶଗଡ ସହ ଜଳ ବିବାଦର ସମାଧାନରେ ସୋନୀ ସୁତ୍ରଧର ସାଜିବେ ବୋଲି କହିଛନ୍ତି |ଅନ୍ୟପକ୍ଷରେ 5 ବର୍ଷ ଲାଳନ ପାଳନ କରି ଝିଅକୁ ବିବାହ ଯୋଗ୍ୟା କରିବା ପରେ ଘର ଖାଲି ହୋଇଯିବ କହି ମନଦୁଃଖ କରିବା ସହ ଝିଅର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ପାଳିତ ପିତା ସନ୍ୟାସୀ କାଲୋ |

5ବର୍ଷ ତଳେ ଏକ ଭିନ୍ନ ପରିସ୍ଥିତିରେ ପାଣିରେ ବୁଡିଯାଇ ଛତିଶଗଡ଼ ରୁ ଭାସି ଆସି ପହଞ୍ଚିଥିଲା ସୋନି।ମା ଛେଉଣ୍ଡ ସୋନୀର ବାପା ମାନସିକ ରୋଗୀ ଥିଲା ବେଳେ ତାର ଭଲ ମନ୍ଦ ବୁଝିବାକୁ କେହି ନଥିଲେ। ସୋନୀ ଛୋଟବେଳୁ ନିଜ ଅଜା ଓ ମାଉସୀଙ୍କ ପାଖରେ ରହି କମଲାନଗରରେ ଜଣକ ଘରେ କାମ କରୁଥିଲେ। ସେତେବେଳେ ସୋନୀ ମଧ୍ୟ ନିଜ ଗାଁକୁ ନଯାଇ ଓଡ଼ିଶାରେ ରହିବାକୁ ମନସ୍ଥ କରିବା ପରେ ଅଭାବୀ ସନ୍ୟାସୀ ଝିଅଟିକୁ ନିଜର କରିଥିଲେ। ଆଜି ସୋନୀକୁ ବାହା ହୋଇଥିବା ଛତିଶଗଦର ପୁରୁଷୋତ୍ତମ ମଧ୍ୟ ବାପ ମାଛେଉଣ୍ଡ ହୋଇଥିବାରୁ ବିଧାୟକ ଦମ୍ପତ୍ତିଙ୍କୁ ନିଜର ବାପା ମା ଭାବେ ପାଇ ଖୁସୀ ଥିବା କହିଥିଲେ | ଏହି ବାହାଘର ପାଇଁ ପୁରା ଗାଁ ଲୋକଙ୍କ ଉତ୍ସାହ ଦେଖିବା ଭଳି ଥିଲା !

Comments are closed.