ବ୍ରହ୍ମପୁରବାସୀଙ୍କ ପ୍ରତୀକ୍ଷାର ହେବ ଅନ୍ତ, କାଲି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର – ରେଶମ ସହରବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ସହରର କେନ୍ଦ୍ରସ୍ଥଳରେ ନବନିର୍ମିତ ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ଆସନ୍ତାକାଲି ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରମୋଦ ଉଦ୍ୟାନକୁ ଆସନ୍ତାକାଲି ( ସୋମବାର ) ଅପରାହ୍ନ ୫ଟା ୧୫ ମିନିଟରେ ଲୋକାର୍ପିତ କରିବେ ।

ରାମଲିଙ୍ଗେଶ୍ୱର ପୋଖରୀର ରୂପାନ୍ତରଣ କରାଯାଇ ଏହାକୁ ପ୍ରମୋଦ ଉଦ୍ୟାନରେ ପରିଣତ କରାଯାଇଛି । ୨୦୧୬ ଫେବ୍ରୁଆରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାର ଶିଳାନ୍ୟାସ କରାଯାଇଥିଲା । ୮ ଦଶମିକ ୧୫ ଏକର ମଧ୍ୟରେ ହୋଇଥିବା ଏହି ପାର୍କରେ ୨ଟି ପର୍ଯ୍ୟାୟରେ ପ୍ରାୟ ସାଢେ ୧୨ କୋଟି ଟଙ୍କା ବ୍ୟୟରେ ପୋଖରୀରୁ ପୁନରୁଦ୍ଧାର କରାଯିବା ସହ ପାଚେରୀ ନିର୍ମାଣ ଘାଟ, ପାର୍କିଂ , ପାଦଚଲା ରାସ୍ତା, ସୌନ୍ଦର୍ଯ୍ୟକରଣ, ପୋଖରୀ ମଧ୍ୟସ୍ଥଳରେ ଲାଇଟିଂ, ଫ୍ଲୋଟିଂସ ଜେଟି, ଫାଉଣ୍ଟେନ ସହିତ ବୋଟିଂ ଭଳି ବିଭିନ୍ନ ପ୍ରକାର ଆମୋଦ ବ୍ୟବସ୍ଥା କରାଯାଇଛି ।

୧୫ ଶହ ବର୍ଗମିଟର ଅଂଚଳକୁ ପ୍ରମୋଦ ଉଦ୍ୟାନ କରାଯାଇଥିବା ବେଳେ ୬ଟି ୱାଚ ଟାୱାର, ୩୫ ଫୁଟ ଶିବ ମୂର୍ତ୍ତି, ୬୨୦ ମିଟର ପାଦଚଲା ରାସ୍ତା ଆଦି ସହ ଆକର୍ଷଣୀୟ ଆଲୋକ ବ୍ୟବସ୍ଥା କରାଯାଇଛି । ଗତକାଲି ଗଞ୍ଜାମ ଜିଲ୍ଲାପାଳ ତଥା ବ୍ରହ୍ମପୁର ମହାନଗର ନିଗମ ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେ ଉଦ୍ୟାନ ବୁଲି ସମୀକ୍ଷା କରିଥିଲେ ।

Comments are closed.