‘ବ୍ରେକ୍ ଡ୍ୟାନ୍ସିଂ’କୁ ମିଳିଲା ଅଲିମ୍ପିକ୍ କ୍ରୀଡ଼ାର ମାନ୍ୟତା, ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସାମିଲ

ପ୍ୟାରିସ୍ – ବ୍ରେକ୍ ଡ୍ୟାନ୍ସିଂକୁ ମିଳିଛି ଅଲିମ୍ପିକ୍ କ୍ରୀଡ଼ାର ମାନ୍ୟତା । ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରେକ୍ ଡ୍ୟାନ୍ସିଂ ଏକ କ୍ରୀଡ଼ା ଇଭେଣ୍ଟ ଭାବେ ପଦାର୍ପଣ କରିବ । ଏହି ନିଷ୍ପତ୍ତି ଉପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ମୋହର ଲାଗିଛି । ଗତବର୍ଷ ୟୁଥ୍ ଅଲିମ୍ପିକ୍ସ ପରେ ବ୍ରେକ୍ ଡ୍ୟାନ୍ସିଂକୁ ଅଲିମ୍ପିକ୍ କ୍ରୀଡ଼ାର ମାନ୍ୟତା ପ୍ରଦାନ ପାଇଁ ଆଇଓସିକୁ ପ୍ରସ୍ତାବ ଦିଆଯାଇଥିଲା । ଗତବର୍ଷ ୟୁଥ୍ ଅଲିମ୍ପିକ୍ସରେ ବ୍ରେକ୍ ଡ୍ୟାନ୍ସିଂକୁ ଏକ ଇଭେଣ୍ଟ ଭାବେ ସାମିଲ କରାଯାଇଥିଲା । ଏହାକୁ ଶେଷରେ ଅଲିମ୍ପିକ୍ କ୍ରୀଡ଼ାର ମାନ୍ୟତା ଦେଇଛି ଆଇଓସି । ଯୁବପିଢ଼ି ମଧ୍ୟରେ ଅଲିମ୍ପିକ୍ସର ଲୋକପ୍ରିୟତା ବୃଦ୍ଧି କରିବା ଓ ଜେଣ୍ଡର ଇକ୍ୱିଲିଟି ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ଭାବେ ବିବେଚନା କରାଯାଉଛି । ୨୦୧୯ରେ ଆଇଓସିର ଏକ ରିପୋର୍ଟ ଅନୁସାରେ ପ୍ରାୟ ୧୦ ଲକ୍ଷ ଲୋକ ବ୍ରେକ୍ ଡ୍ୟାନ୍ସିଂକୁ ଏକ କ୍ରୀଡ଼ା ଭାବେ ଗ୍ରହଣ କରିଥିଲେ । ଏହାର ଲୋକପ୍ରିୟତା ଦୃଷ୍ଟିରୁ ଆଇଓସି ଏହାକୁ ଅଲିମ୍ପିକ୍ସରେ ସାମିଲ କରିବା ପାଇଁ ବିଚାର କରିଥିଲା । ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପରେ ୨୦୨୮ ଅଲିମ୍ପିକ୍ସରେ ମଧ୍ୟ ବ୍ରେକ୍ ଡ୍ୟାନ୍ସିଂକୁ ସାମିଲ କରାଯିବ ବୋଲି ଆଇଓସି ତରଫରୁ ସଙ୍କେତ ଦିଆଯାଇଛି । ଭାରତରେ ଅନେକ ଡ୍ୟାନ୍ସିଂ ପ୍ରତିଭା ରହିଛନ୍ତି । ତେବେ ବ୍ରେକ୍ ଡ୍ୟାନ୍ସିଂ ପାଇଁ ଭାରତରେ କୌଣସି ଫେଡେରେସନ ବା ସଂଘ ନାହିଁ । ବ୍ରେକ୍ ଡ୍ୟାନ୍ସ୍‌ିଂକୁ ଅଲିମ୍ପିକ୍ କ୍ରୀଡ଼ା ମାନ୍ୟତା ମିଳିବା ପରେ ଭାରତରେ ଏହାକୁ କ୍ରୀଡ଼ା ଭାବେ କିପରି ଗ୍ରହଣ କରାଯାଉଛି ତାହା ଦେଖିବାକୁ ରହିଲା ।

Comments are closed.