ଭାରତରେ କରୋନା ସଙ୍କଟ ପାଇଁ ମୋଦିଙ୍କୁ ଲାନ୍ସେଟ୍‌ର ଭର୍ତ୍ସନା, ସଂକ୍ରମଣ ନିୟନ୍ତ୍ରଣ କରିବା ପରିବର୍ତ୍ତେ ସମାଲୋଚନା ଦବାଇବାରେ ବ୍ୟସ୍ତ

ନୂଆଦିଲ୍ଳୀ: ଭାରତରେ କରୋନାର ମହାସଙ୍କଟ ପାଇଁ ପ୍ରସିଦ୍ଧ ଭେଷଜ ପତ୍ରିକା ‘ଲାନ୍ସେଟ୍‌’ ନିଜର ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ଭର୍ତ୍ସନା କରିଛି । ମହାମାରୀକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ମୋଦି ସରକାର ସମାଲୋଚନା ଦବାଇବାରେ ଅଧିକ ବ୍ୟସ୍ତ ରହୁଥିବା ମନେ ହେଉଛି ବୋଲି ଏହି ମେଡିକାଲ ଜର୍ଣ୍ଣାଲ କହିଛି । କରୋନା ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରାଯାଇ ହୋଇଥିବା ଅନେକ ପୋଷ୍ଟକୁ ଟ୍ୱିଟରରୁ ହଟାଇବା ପାଇଁ କେନ୍ଦ୍ରର ନିଷ୍ପତ୍ତି ସନ୍ଦର୍ଭରେ ଏହି ପତ୍ରିକା ଏଭଳି କହିଛି ।

କରୋନା ଲଢ଼େଇରେ ଭାରତ ବିଜୟ ଦ୍ୱାରଦେଶରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଓ ମୋଦି ସରକାରର ଅନ୍ୟ ମନ୍ତ୍ରୀମାନେ ଯେଉଁଭଳି ଅପରିପକ୍ୱ ଓ ଅମୂଳକ ମନ୍ତବ୍ୟ ଦେଇଥିଲେ ତାହାକୁ ବି ଲାନ୍ସେଟ୍ ସମାଲୋଚନା କରିଛି । କରୋନା ସଂକ୍ରମଣ ହଠାତ କମିବା ପରେ ମୋଦି ସରକାର କିଭଳି ଆତ୍ମସନ୍ତୋଷରେ ଭଳି ଯାଇଥିଲା ଏବଂ ଦ୍ୱିତୀୟ ଲହରୀ ପାଇଁ କିଭଳି ଅପ୍ରସ୍ତୁତ ଥିଲା ତାହା ଏଥିରୁ ସ୍ପଷ୍ଟ ବୋଲି ଲାନ୍ସେଟ୍ ଲେଖିଛି ।

ଚେତାବନୀ ସତ୍ତ୍ୱେ ଭାରତ ସରକାର ଯେଭଳି ବିଶାଳ ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି ଦେଲେ ତାକୁ ବି ଲାନ୍ସେଟ୍ ସମାଲୋଚନା କରିଛି । ଏହି ସବୁ ଧାର୍ମିକ ଓ ରାଜନୈତିକ ସମାବେଶରେ କୋଭିଡ୍‌-୧୯ ଗାଇଡ୍ ଲାଇନର ଖୋଲାଖୋଲି ଉଲ୍ଲଂଘନ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଦ୍ୱିତୀୟ ଲହରୀ ଆରମ୍ଭ ହେବା ବେଳକୁ ହରିଦ୍ୱାରରେ କୁମ୍ଭ ମେଳା ଏବଂ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଲାନ୍ସେଟ୍ ସମ୍ପାଦକୀୟରେ କୁହାଯାଇଛି ଯେ, କରୋନା ବିପଦ ଦୂର ହୋଇଗଲା ବୋଲି ଭାବି ଦେଶରେ ଟିକାକରଣ ଅଭିଯାନର ଗତି ମଧ୍ୟ ଧିମେଇ ଯାଇଥିଲା । ଏଯାବତ୍ ଦେଶରେ କେବଳ ୨%ରୁ କମ୍ ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇଛି । ଦ୍ୱିତୀୟ ଲହରୀ ସଂକ୍ରମଣ ଅଣାୟତ୍ତ ହୋଇଯିବା ପରେ ରାଜ୍ୟମାନଙ୍କ ସହ ବିନା ପରାମର୍ଶରେ ଏବଂ ଟିକାକରଣକୁ ବ୍ୟାପକ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ନିଜ ଉପରୁ ବୋଝ ଲାଘବ କରିବା ପାଇଁ ଟିକାକରଣ ନୀତିରେ ପରିବର୍ତ୍ତନ କରିଦେଲେ । ଫଳରେ ସମଗ୍ର ଦେଶରେ ଟିକାକରଣ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା । ଲନ୍ସେଟ୍ ନିଜ ସମ୍ପାଦକୀୟରେ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇ କହିଛି ଯେ, ରାଜ୍ୟମାନଙ୍କ ସହ ମିଶି ଭାରତ ସରକାର ଏକ ଏଭଳି ବ୍ୟବସ୍ଥା କରିବା ଉଚିତ ଯଦ୍ୱାରା ସବୁ ରାଜ୍ୟକୁ ସମାନ ଭାବେ ଟିକା ବିତରଣ ହୋଇପାରିବ ଏବଂ ଟିକାକରଣ ତ୍ୱାରାନ୍ୱିତ ହୋଇପାରିବ ।

ଲାନ୍ସେଟ୍ ସମ୍ପାଦକୀୟରେ ଭାରତରେ ଗମ୍ଭୀର କରୋନା ସ୍ଥିତି ଉପରେ ଉଲ୍ଲେଖ କରାଯାଇଛି । ପତ୍ରିକା ଲେଖିଛି ଯେ, ମେ ୪ ସୁଦ୍ଧା ଦେଶରେ ମୋଟ କରୋନା ମାମଲା ୨ କୋଟି ଟପିଥିଲା । ମୋଟ ମୃତ୍ୟୁସଂଖ୍ୟା ମଧ୍ୟ ୨ ଲକ୍ଷ ଟପିଥିଲା । ସମ୍ପାଦକୀୟରେ ‘ଦି ଇନଷ୍ଟିଚ୍ୟୁଟ୍ ଫର୍ ହେଲ୍‌ଥ ମେଟିକ୍ସ ଆଣ୍ଡ୍ ଇଭାଲୁଏସନ’ କରିଥିବା ଆକଳନର ଉଦାହରଣ ଦିଆଯାଇଛି, ଯେଉଁଥିରେ କୁହାଯାଇଛି ଯେ, ଭାରତରେ ୧ ଅଗଷ୍ଟ ବେଳକୁ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦ ଲକ୍ଷରେ ପହଞ୍ଚିବ ।

କରୋନା ସଙ୍କଟରୁ ଦେଶରୁ ଉଦ୍ଧାର କରିବାକୁ ହେଲେ ମୋଦି ସରକାର ନିଜ ତ୍ରୁଟି ସ୍ୱୀକାର କରିବାକୁ ପଡିବ ଏବଂ ବିଜ୍ଞାନ ସମ୍ମତ ରଣନୀତି ବ୍ୟବହାର କରିବାକୁ ପଡିବ ବୋଲି ଲାନ୍ସେଟ୍ ନିଜ ସମ୍ପାଦକୀୟରେ କହିଛି ।

Comments are closed.