ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କଲା ନାସା ରୋଭର

ନ୍ୟୁୟର୍କ – ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ରୋଭର ସଫଳତାର ସହ ଗୁରୁବାର ମଙ୍ଗଳ ପୃଷ୍ଠରେ ଅବତରଣ କରିଛି । ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ପାଇଁ ‘ପର୍ଜେଭରେନ୍ସ’ ନାମକ ରାଭରକୁ ଏହି ଲୋହିତ ଗ୍ରହକୁ ପଠାଇଛି ନାସା । ‘ପର୍ଜେଭରେନ୍ସ’ ଭାରତୀୟ ସମୟ ଗୁରୁବାର ରାତି ପ୍ରାୟ ୨ଟା ସମୟରେ ମଙ୍ଗଳର ସବୁଠାରୁ ବିପଜ୍ଜନକ ଅଞ୍ଚଳ କୁହାଯାଉଥିବା ଜଜିରୋ କ୍ରେଟରରେ ଲ୍ୟାଣ୍ଡିଂ କରିଥିଲା । ନାସା ତରଫରୁ ଦାବି କରାଯାଇଛି ଯେ, ମହାକାଶ ଇତିହାସରେ କୌଣସି ରୋଭର ଦ୍ୱାରା ମଙ୍ଗଳ ପୃଷ୍ଠରେ ଏହା ହେଉଛି ସବୁଠୁ ସଫଳ ଓ ସଠିକ୍ ଲ୍ୟାଣ୍ଡିଂ । ‘ପର୍ଜେଭରେନ୍ସ’ ମଙ୍ଗଳ ଗ୍ରହରୁ ମାଟି ନମୁନା ବି ଆଣିବ ।

୬ ଚକିଆ ବିଶିଷ୍ଟ ନାସା ରୋଭର ସାତ ମାସ ଏବଂ ୪୭ କୋଟି କିଲୋମିଟର ଯାତ୍ରା ପରେ ମଙ୍ଗଳ ଗ୍ରହରେ ଅବତରଣ କରିଛି । ଅବତରଣର ଶେଷ ୭ ମିନିଟ୍ ବେଶ୍ ଚ୍ୟାଲେଞ୍ଜିଂ ଓ ବିପଜ୍ଜନକ ଥିଲା ବୋଲି ନାସା ତରଫରୁ କୁହାଯାଇଛି । କିନ୍ତୁ ସୌଭାଗ୍ୟବଶତଃ ‘ପର୍ଜେଭରେନ୍ସ’ ସଫଳତାର ସହ ମଙ୍ଗଳ ପୃଷ୍ଠରେ ଅବତରଣ କରିଥିଲା ।

Comments are closed.