ମହାମାରୀ ମୁକାବିଲାରେ ପ୍ରଶାସନର ଆଉ ଏକ ବଳିଷ୍ଠ ପଦକ୍ଷେପ, କାର୍ଯ୍ୟକ୍ଷମ ହେଲା ସମ୍ବଲପୁର କୋଭିଡ୍ ହସପିଟାଲ

୨୪ ଘଣ୍ଟାରେ ୪୫ ରୋଗୀ ଭର୍ତ୍ତି ୨୦୦ ଶଯ୍ୟରୁ ୮୦ରେ ଆଇସିୟୁ ବ୍ୟବସ୍ଥା

ସମ୍ବଲପୁର : କରୋନାର ପ୍ରଥମ ଲହର ପରି ଦ୍ବିତୀୟ ଲହରକୁ ସଫଳତାର ସହ ମୁକାବିଲା କରିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପୁରା ଦମ୍ ଲଗାଇ ଦେଇଛି । ଏହି ପରିପ୍ରେକ୍ଷୀରେ ବୁର୍ଲାରେ ୨ଟି କୋଭିଡ୍ ହସପିଟାଲରେ ମୋଟ୍ ୫୨୫ ଶଯ୍ୟର ବ୍ୟବସ୍ଥା ଚାଲିଥିବା ବେଳେ ବୁଧବାର ରାତିରୁ ସମ୍ବଲପୁର କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ କରିଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ଏଠାରେ ମୋଟ୍ ୨ ଶହ ଶଯ୍ୟା ଥିବା ବେଳେ ସେଥିରୁ ୮୦ଟିରେ ଆଇସିୟୁ ସୁବିଧା ଉପଲବ୍ଧ କରାଯାଇଛି । ତେବେ , ଏହି ହସପିଟାଲ କାର୍ଯ୍ୟକ୍ଷମ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଏଠାରେ ଗତକାଲି ରାତି ସୁଦ୍ଧା ୪୫ ଜଣ ରୋଗୀ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ଗତବର୍ଷ ଠାରୁ ଏବର୍ଷ କରୋନାର ଦ୍ବିତୀୟ ଲହର ଅଧିକ ସଂକ୍ରାମକ ରୂପ ଧାରଣ କରିଛି । ଗତବର୍ଷ ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୨ ଶହ ଜଣ ଚିହ୍ନଟ ହେଉଥିବା ବେଳେ ଗତ ଦୁଇଦିନ ଧରି କ୍ରମାଗତ ଏହି ସଂଖ୍ୟା ୩ ଶହ ଡେଇଁଥିଲା । ଆଉ ଆଜି ଏହି ସଂଖ୍ୟା ୪୧୦ ଟପିଲାଣି । ସେହିପରି ଛତିଶଗଡର ସଂକ୍ରମଣ ଯୋଗୁଁ ପଶ୍ଚିମ ଓଡିଶାର ସ୍ଥିତି ବିଗିଡିଥିବା ବେଳେ ସମଗ୍ର ୧୦ଟି ଜିଲ୍ଲାରେ ମହାମାରୀ ବେକାବୁ ରୂପ ନେଲାଣି ।

ତେବେ , ଗତବର୍ଷ ପରି ପୁଣି ସମ୍ବଲପୁର ଜିଲ୍ଲା ପ୍ରଶାସନ ଏହାର ସଫଳ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲାଣି । ଦ୍ବିତୀୟ ଲହର ଆରମ୍ଭ ହେବା ବେଳକୁ ବୁର୍ଲାରେ ଥିବା କୋଭିଡ ହସପିଟାଲରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଲା । କାରଣ ଏହି ମେଡିକାଲ ଉପରେ ସମଗ୍ର ପଶ୍ଚିମ ଓଡିଶା ସମେତ ଛତିଶଗଡର ପ୍ରାୟ ୬ଟି ଜିଲ୍ଲାର ରୋଗୀ ନିର୍ଭର କରୁଛନ୍ତି । ଫଳରେ ସ୍ଥିତିକୁ ଦେଖି ତୁରନ୍ତ ରାଜ୍ୟ ସରକାର ଏହାର ଶର୍ଯ୍ୟା ସଂଖ୍ୟାକୁ ୧୨୦ରୁ ୨୨୫କୁ ବୃଦ୍ଧି କରାଯାଇଛି । ଏହାଛଡା ବୁର୍ଲାରେ ଆଉ ଏକ ୩ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସପିଟାଲ ନିର୍ମାଣ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ।

ଏଭଳି ସ୍ଥିତିରେ ବଦ୍ଧିତ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ଭୁବନେଶ୍ୱରସ୍ଥିତ ଅଶ୍ବିନୀ ହସପିଟାଲ ସହ ଏମ୍‌ଓୟୁ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ( ଡିଏଚ୍ଏଚ୍ ) ରେ ପୁଣି କୋଭିଡ୍ ହସପିଟାଲ ଆରମ୍ଭ କରିଛନ୍ତି । ତେବେ , ପୂର୍ବ ପରି ଏହାକୁ ସଂପୂର୍ଣ ଭାବେ ଡିଏଏରେ ପରିଣତ ନ କରି ଅଂଶିକ ଭାବେ କୋଭିଡ୍ ହସପିଟାଲ କରାଯାଇଛି । ଫଳରେ ଗୋଟିଏ କ୍ୟାମ୍ପସ୍‌ରେ ଉଭୟ କୋଭିଡ୍ ଏବଂ ଅଣକୋଭିଡ୍ ରୋଗୀ ଚିକିତ୍ସିତ ହୋଇପାରିବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ଏଠାରେ ମୋଟ୍ ୨୦୦ଟି ବେଡ୍ ଥିବା ବେଳେ ଏଥିରୁ ୮୦ଟିରେ ଆଇସିୟୁ ସେବା ମିଳିବ । ଏହି ୮୦ ଆଇସିୟୁରୁ ୬୫ଟିରେ ଜୀବନ ରକ୍ଷାକାରୀ ଭେଣ୍ଟିଲେଟର ସୁବିଧା ଉପଲବ୍ଧ କରାଯାଇଛି । ଅନ୍ୟ ୨୫ଟିକୁ ଷ୍ଟେପଡାଉନ୍ ଭାବେ ବ୍ୟବହାର କରାଯାଇଛି ।

ତେବେ , ବୁଧବାର ରାତି ୧୦ଟାରେ ଏହି ଡାକ୍ତରଖାନା କାର୍ଯ୍ୟକ୍ଷମ କରିଥିବା ବେଳେ ଗତକାଲି ରାତି ସୁଦ୍ଧା ମାତ୍ର ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୫ ଜଣଗୁରୁତର କରୋନା ରୋଗୀ ଭର୍ତ୍ତି ଥିବା ଜଣାପଡିଛି । ଏହାଛଡା ଏଠାରେ ସମ୍ବଲପୁର ସମେତ ବରଗଡ ଜିଲ୍ଲାର ରୋଗୀଙ୍କୁ ବି ଭର୍ତ୍ତି କରିବାକୁ ବ୍ୟବସ୍ଥା କରାଯାଇଛି । ମୋଟ୍ ଉପରେ ଏଟି ଡାକ୍ତରଖାନାରେ ଏକକାଳୀନ ୮୦ଟି ଆଇସିୟୁ ବେଡ୍ ବର୍ତ୍ତମାନର ଭିଭିଭୂମି ସଙ୍କଟ ବେଳେ ରୋଗୀ ଏବଂ ପରିଜନଙ୍କୁ ବିରାଟ ଆଶ୍ୱସ୍ତି ଦେଇଛି ବୋଲି କୁହାଯାଉଛି ।

Comments are closed.