ମହାରାଷ୍ଟ୍ରରେ ଠାବ କରୋନାର ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ହୋଇପାରେ: ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ – ମହାରାଷ୍ଟ୍ର ସମେତ ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି । ତେବେ ମହାରାଷ୍ଟ୍ରରେ ଠାବ ହୋଇଥିବା କରୋନାର ଏକ ନୂଆ ଷ୍ଟ୍ରେନ୍ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହି ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ହୋଇପାରେ ବୋଲି ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଆଶଙ୍କା ପ୍ରକାଶ କରିଛନ୍ତି ।

ଭାରତରେ କରୋନା ଭାଇରସ୍ ପ୍ରତି ‘ହର୍ଡ ଇମ୍ୟୁନିଟି’ ସୃଷ୍ଟି କରାଯାଇ ପାରିବ ବୋଲି ରହିଥିବା ଧାରଣା ଭୁଲ୍ । କାରଣ ଏଥିପାଇଁ ଦେଶର ଜନସଂଖ୍ୟାର ୮୦% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବା ଆବଶ୍ୟକ ବୋଲି ଡ.ଗୁଲେରିଆ କହିଛନ୍ତି । ସେ କହିଛନ୍ତି, ମହାରାଷ୍ଟ୍ରରେ ଚିହ୍ନଟ ନୂଆ ଷ୍ଟ୍ରେନ ଘାତକ ହୋଇପାରେ । କରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଲୋକ ମଧ୍ୟ ଏହି ନୂଆ ଷ୍ଟ୍ରେନର ଶିକାର ହେବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ।

ମହାରାଷ୍ଟ୍ର କୋଭିଡ୍ ଟାକ୍ସଫୋର୍ସର ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀଙ୍କ କହିବା ଅନୁସାରେ ରାଜ୍ୟରେ ଏଯାବତ୍ କରୋନାର ୨୪୦ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏହି କାରଣରୁ ନିକଟରେ ରାଜ୍ୟରେ ସଂକ୍ରମଣ ହାର ପୁଣି ଉପର ମୁହାଁ ହୋଇଛି ବୋଲି ସେ କହିଛନ୍ତି ।

Comments are closed.