ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗର ତଦନ୍ତ କରିବ ସିବିଆଇ, ବମ୍ବେ ହାଇକୋର୍ଟ ଦେଲେ ଅନୁମତି

ମୁମ୍ବାଇ – ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଆଣିଥିବା ଅଭିଯୋଗର ତଦନ୍ତ ସିବିଆଇ କରିବ । ବମ୍ବେ ହାଇକୋର୍ଟ ଆଜି ପରମବୀରଙ୍କ ଆବେଦନ ଉପରେ ଶୁଣାଣି କରି ୧୫ ଦିନ ମଧ୍ୟରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ୧୫ ଦିନର ତଦନ୍ତ ପରେ ଏହି ମାମଲାରେ ଏଫ୍‌ଆଇଆର ରୁଜୁ କରାଯିବ କି ତାହା ସିବିଆଇ ନିର୍ଦ୍ଦେଶକ ସ୍ଥିର କରିବେ ବୋଲି କୋର୍ଟ କହିଛନ୍ତି ।

ପରମବୀର ଅଭିଯୋଗ କରିଥିଲେ ଯେ, ମୁମ୍ବାଇର ବାର୍‌, ରେଷ୍ଟୁରାଣ୍ଟ୍ ଓ ସବୁ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନରୁ ମାସିକ ୧୦୦ କୋଟି ବଟି ଆଦାୟ କରିବାକୁ ଦେଶମୁଖ ପୋଲିସ ଉନ୍ସିପେକ୍ଟର ସଚିନ ବାଜେଙ୍କ ସମେତ ଅନ୍ୟ କିଛି ପୋଲିସ ଅଧିକାରୀଙ୍କୁ ଟାର୍ଗେଟ ଦେଇଥିଲେ । ଦେଶମୁଖ ଆହୁରି ଅନେକ ଦୁର୍ନୀତିରେ ଲିପ୍ତ ଅଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରି ସେ ପ୍ରଥମେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ତାଙ୍କୁ ପ୍ରଥମେ ହାଇକୋର୍ଟ ଯିବାକୁ କହିଥିଲେ ।
ପରମବୀରଙ୍କ ଆବେଦନ ଉପରେ ପ୍ରଥମ ଶୁଣାଣିରେ ବମ୍ବେ ହାଇକେର୍ଟ ଏହି ପୂର୍ବତନ ପୋଲିସ କମିଶନରଙ୍କୁ କିଛି କଡ଼ା ପ୍ରଶ୍ନ ପଚାରିଥିଲେ । ସେ ଯଦି ଦେଶମୁଖଙ୍କ ଦୁର୍ନୀତି ସମ୍ପର୍କରେ ଅବଗତ ଥିଲେ, ତା’ ହେଲେ ତାଙ୍କ ବିରୋଧରେ ସେ କାହିଁକି ଏଫ୍‌ଆଇଆର ରୁଜୁ କରିନଥିଲେ? ନେତା, ମନ୍ତ୍ରୀ, ପୋଲିସ୍ ଅଧିକାରୀ କଣ ଆଇନରୁ ଊର୍ଦ୍ଧ୍ୱରେ କି ବୋଲି ବମ୍ବେ ହାଇକୋର୍ଟ ପରମବୀରଙ୍କୁ ପ୍ରଶ୍ନ କରିଥିଲେ ।

Comments are closed.