ମହିଳାଙ୍କ ଆପତ୍ତି ପରେ ଲୋଗୋରେ ପରିବର୍ତ୍ତନ କଲା ‘ମିନ୍ତ୍ରା’

ନୂଆଦିଲ୍ଲୀ – ଅଗ୍ରଣୀ ଇ-କମର୍ସ କମ୍ପାନୀ ‘ମିନ୍ତ୍ରା’ ନିଜ ଲୋଗୋ ବଦଳାଇଛି । ‘ମିନ୍ତ୍ରା’ର ପୁରୁଣା ଲୋଗୋକୁ ନେଇ ମୁମ୍ବାଇର ଜଣେ ମହିଳା ଆପତ୍ତି ଉଠାଇ ଥାନାରେ ଅଭିଯୋଗ କରିବା ପରେ ଏହି ଇ-କମର୍ସ କମ୍ପାନୀ ନିଜର ଲୋଗୋରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି । ‘ମିନ୍ତ୍ରା’ ଏହାର ୱେବସାଇଟ୍‌, ଆପ୍ ଓ ପ୍ୟାକେଜିଂରେ ଲୋଗୋ ବଦଳାଇଛି ।

ଗତମାସରେ ନାଜ୍ ପଟେଲ ନାମ୍ନୀ ଜଣେ ମହିଳା ‘ମିନ୍ତ୍ରା’ର ଲୋଗୋ ବିରୋଧରେ ମୁମ୍ବାଇ ସାଇବର ସେଲରେ ଅଭିଯୋଗ କରିଥିଲେ । ଏହି ମହିଳା ଆଭେଷ୍ଟା ଫାଉଣ୍ଡେସନ ନାମକ ଏକ ଏନ୍‌ଜିଓରେ କାମ କରନ୍ତି । ନାଜ୍ ଅଭିଯୋଗ କରିଥିଲେ ଯେ, ‘ମିନ୍ତ୍ରା’ ଲୋଗୋ ମହିଳା ମାନଙ୍କ ପ୍ରତି ଅପମାନ ସୂଚକ । ଏହି ଲୋଗୋକୁ ତୁରନ୍ତ ହଟାଇବାକୁ ଦାବି କରିଥିଲେ । ଲୋଗୋ ନ ବଦଳାଇଲେ ଏହି ଇ-କମର୍ସ କମ୍ପାନୀ ବିରୋଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଥିଲେ ।

ମହିଳାଙ୍କ ଅଭିଯୋଗ ପରେ ମୁମ୍ବାଇ ପୋଲିସ ସାଇବର ସେଲ୍ ଏନେଇ ‘ମିନ୍ତ୍ରା’ ସହ ଯୋଗାଯୋଗ କରିଥିଲେ । ‘ମିନ୍ତ୍ରା’ ନିଜ ଲୋଗୋ ବଦଳାଇବା ପାଇଁ ରାଜି ହୋଇଥିଲା ବୋଲି ସାଇବର ସେଲର ଡିସିପି ରଶ୍ମୀ କରନ୍ଦିକର କହିଛନ୍ତି । ତେବେ ଏକ ସାମାନ୍ୟ ଲୋଗୋକୁ ନେଇ ଏଭଳି ବିବାଦରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Comments are closed.