ମା’ଙ୍କ ପରେ କୋଭିଡ୍‌ରେ ଭଉଣୀଙ୍କୁ ହରାଇଲେ ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂତ୍ତିଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କ ଜୀବନ ନେଇଛି କରୋନା । ମାଆଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ବେଦାଙ୍କ ଭଉଣୀ ବତ୍‌ସଲା ଶିବକୁମାର ମଧ୍ୟ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଚିକାମାଗାଲୁରୁରେ ଏକ ଘରୋଇ ହସ୍ପିଟାଲରେ ବତ୍‌ସଲାଙ୍କ ମୃତ୍ୟୁ ହୋଇଛି ।

କରୋନାର ଦ୍ୱିତୀୟ ଲହରୀ ଭାରତରେ ତାଣ୍ଡବ ରଚିଥିବା ବେଳେ ବେଦା ସୋସିଆଲ ମିଡିଆ ମାଧ୍ୟମରେ ପ୍ରଭାବିତ ଲୋକଙ୍କୁ ଯେଭଳି ଆବଶ୍ୟକୀୟ ସହାୟତା ମିଳିବ ସେନେଇ ଉଦ୍ୟମ ଜାରି ରଖିଛନ୍ତି । ହେଲେ ଏହି ଘାତକ ଭାଇରସ୍ ତାଙ୍କ ଠାରୁ ତାଙ୍କ ମାଆ ଓ ଭଉଣୀଙ୍କୁ ଛଡ଼ାଇ ନେଇଛି । ଗତ ମାସରେ ସେ ତାଙ୍କ ମାଆ ଚେଲୁଭାମ୍ବା ଦେବୀଙ୍କୁ କରୋନାରେ ହରାଇଥିଲେ । ଏପ୍ରିଲ ୨୪ରେ ସେ ତାଙ୍କ ମାଆଙ୍କ ମୃତ୍ୟୁ ନେଇ ଟ୍ୱିଟ୍ କରିଥିଲେ । ତାଙ୍କ ଭଉଣୀ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ବେଦା କହିଥିଲେ ।

ବେଦା ଭାରତ ପାଇଁ ଏଯାବତ୍ ୪୮ଟି ଦିନିକିଆ ଏବଂ ୭୬ଟି ଟି୨୦ରେ ପ୍ରତିନିଧିତ୍ୱ କରିଛନ୍ତି ।

Comments are closed.