ମାନସିକ ନିର୍ଯାତନା ଅଭିଯୋଗ କରି କ୍ରିକେଟ୍ ଛାଡ଼ିଲେ ଆମିର

କରାଚି – ପାକିସ୍ତାନୀ ପେସର ମହମ୍ମଦ ଆମିର ଗୁରୁବାର ନାଟକୀୟ ଢଙ୍ଗରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଭଳି ଅଚାନକ ଅବସର ନିଷ୍ପତ୍ତି ପାଇଁ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ଦାୟୀ କରିଛନ୍ତି । ପିସିବି ମ୍ୟାନେଜମେଣ୍ଟ ତାଙ୍କୁ ମାନସିକ ନିର୍ଯାତନା ଦେଇଛି ବୋଲି ଆମିର ଅଭିଯୋଗ କରିଛନ୍ତି । ଏକ ପାକିସ୍ତାନୀ ୱେବସାଇଟ୍ ‘ଖେଲ-ସେଲ୍’ ସହ ସାକ୍ଷାତକାର ଅବସରରେ ଏହି ୨୯ ବର୍ଷୀୟ ପେସର କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି । ସେ କହିଛନ୍ତି ଯେ, ମୋତେ ମାନସିକ ନିର୍ଯାତନା ଦିଆଯାଇଥିବାରୁ ମୁଁ କ୍ରିକେଟ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ମୁଁ ଆଉ ଏଭଳି ନିର୍ଯାତନା ସହିପାରିବି ନାହିଁ । ୨୦୧୦ରୁ ୨୦୧୫ ଯାଏଁ ମୁଁ ମାନସିକ ଯନ୍ତ୍ରଣା ସହିଛି । ଦଣ୍ଡିତ ବି ହୋଇଛି । ଆଉ ଏଭଳି ନିର୍ଯାତନା ମୁଁ ସହିପାରିବି ନାହିଁ । ବର୍ତ୍ତମାନର ପିସିବି ମ୍ୟାନେଜମେଣ୍ଟ ଅଧୀନରେ କ୍ରିକେଟ୍ ଖେଳିବା ତାଙ୍କ ପକ୍ଷେ କଷ୍ଟକର ବୋଲି ସେ କହିଛନ୍ତି । ଆମିରଙ୍କ ଏହି ଭିଡିଓ ଭାଇରାଲ୍ ହେବା ପରେ ପିସିବି ଏକ ପ୍ରେସ୍ ବିବୃତି ଜାରି କରି ଏହି ୨୯ ବର୍ଷୀୟ ବୋଲରଙ୍କ ଅବସର ନିଷ୍ପତ୍ତି ସ୍ପଷ୍ଟ କରିଛି । ଏହା ଆମିରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଆମେ ତାଙ୍କର ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ ବୋଲି ପିସିବି ତରଫରୁ କୁହାଯାଇଛି ।

ଆମିର ୨୦୦୯ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସେ ୩୬ ଟେଷ୍ଟ, ୬୧ ଦିନିକିଆ ଓ ୫୦ ଟି୨୦ ଖେଳିଛନ୍ତି । ଏହି ତିନି ଫର୍ମାଟରେ ଆମିର ୨୬୦ରୁ ଊର୍ଦ୍ଧ୍ୱ ୱିକେଟ୍ ହାସଲ କରିଛନ୍ତି । ଆମିର ୨୦୧୦ରେ ସ୍ପଟ୍ଫିକ୍ସିଂ ସ୍କାଣ୍ଡାଲ ପାଇଁ ପାଞ୍ଚ ବର୍ଷ ବାସନ୍ଦ ହୋଇଥିଲେ । ବାସନ୍ଦ ଦଣ୍ଡ କାଟିବା ପରେ ଏହି ଦ୍ରୁତ ବୋଲର ୨୦୧୬ରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପାକ୍ ଦଳରେ ସ୍ଥାନ ପାଇ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ ।

Comments are closed.