ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ତତ୍ପରତା, ଟ୍ୱିନ୍ ସିଟିରେ କୋଭିଡ ନିୟମ କଡାକଡି ଭାବେ ପାଳନ ପାଇଁ ଡିଜିପିଙ୍କ ବୈଠକ, ୩ଟି ଜୋନ୍‌ରେ ବିଭକ୍ତ ହେବ ରାଜଧାନୀ | News Room Odisha

ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ତତ୍ପରତା, ଟ୍ୱିନ୍ ସିଟିରେ କୋଭିଡ ନିୟମ କଡାକଡି ଭାବେ ପାଳନ ପାଇଁ ଡିଜିପିଙ୍କ ବୈଠକ, ୩ଟି ଜୋନ୍‌ରେ ବିଭକ୍ତ ହେବ ରାଜଧାନୀ

ଭୁବନେଶ୍ୱର- ଭୁବନେଶ୍ୱର ଓ କଟକ ସହରରେ କୋଭିଡ ନିୟମ କଡାକଡି ଭାବେ ପାଳନ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କଲା ପରେ ଏ ନେଇ ତତ୍ପରତା ପ୍ରକାଶ ପାଇଛି । ଦୁଇ ସହରରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବା ଏକାଧିକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଆଜି ଡିଜିପି ଅଭୟ କଟକ ଭୁବନେଶ୍ୱର କମିଶନରେଟ୍ ପୋଲିସର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ବୈଠକ ପରେ ସ୍ଥିର ହୋଇଛି ଯେ, କୋଭିଡ କଟକଣା କଡାକଡି ଭାବେ ଲାଗୁ କରିବା ପାଇଁ ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯିବ । ପ୍ରତି ଜୋନ୍ ଦାୟିତ୍ୱରେ ଜଣେ ଲେଖାଏଁ ଡିସିପି ରହିବେ । ଯାଂଚ ପାଇଁ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ବଜାରରେ ଏବଂ ହଟସ୍ପଟରେ କୋଭିଡ କଟକଣାକୁ କଡାକଡି ଭାବେ ଲାଗୁ କରାଯିବ । ଟ୍ୱିନ୍ ସିଟିର ପୋଲିସକୁ ଅଧିକ ପିପିଇ କିଟ୍ ଦିଆଯିବ । ସାପ୍ତାହିକ ଛୁଟିରେ କଟକ ଓ ଭୁବନେଶ୍ୱରରେ ଅଧିକ ପୋଲିସ ମୁତୟନ ହେବେ । କୋଭିଡ ଏନଫୋର୍ସମେଂଟ୍ ଟିମକୁ ଅଧିକ କ୍ରିୟାଶୀଳ କରାଯିବ । ପୋଲିସ ଡିଜିଙ୍କ ସମୀକ୍ଷା ବୈଠକରେ ୨ ଡିସିପି, ପୋଲିସ କମିଶନର, ଆଇନ ଶୃଙ୍ଖଳାର ଆଇଜି ଉପସ୍ଥିତ ଥିଲେ ।

ବୁଧବାର ଦିନ ରାଜ୍ୟରେ କୋଭିଡ ପରିଚାଳନା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯମଜ ସହରରେ କୋଭିଡ କଟକଣା ଠିକ୍ ଭାବେ ଅନୁପାଳନ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଡିଜିପିଙ୍କ ତତ୍ୱାବଧାନରେ କୋଭିଡ୍ କଟକଣା କଡାକଡି ଭାବେ ପାଳନ ହେଉ ବୋଲି ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।