ମୋଦିଙ୍କୁ ରାହୁଲଙ୍କ ଚିଠି: ସ୍ପଷ୍ଟ ରଣନୀତି ଅଭାବରୁ ଦେଶ ଆଜି ଲକ୍‌ଡାଉନ୍ ଦ୍ୱାରଦେଶରେ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ କୋଭିଡ୍ ସ୍ଥିତି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ ସଙ୍କଟ ପାଇଁ ସେ କେନ୍ଦ୍ରକୁ ଦାୟୀ କରିଛନ୍ତି । କେନ୍ଦ୍ରର ବିଫଳତା ପାଇଁ କାରଣରୁ ଦେଶ ଆଜି ଲକ୍‌ଡାଉନ୍ ଦ୍ୱାରଦେଶରେ ପହଞ୍ଚିଛି ବୋଲି ରାହୁଲ କହିଛନ୍ତି । ଏଭଳି ସ୍ଥିତିରେ ଗରିବ ଓ ଅସହାୟ ଲୋକଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବାକୁ ରାହୁଲ ମୋଦିଙ୍କୁ ଲେଖିଥିବା ଚିଠିରେ ଦାବି କରିଛନ୍ତି ।

ଚିଠିରେ ରାହୁଲ କହିଛନ୍ତି, ଆମ ଦେଶ ଏବେ କୋଭିଡ୍‌ର ସୁନାମିରେ ଫସିଛି । ଏଭଳି ଅପ୍ରତ୍ୟାଶିତ ସଙ୍କଟ ମଧ୍ୟରେ ଲୋକଙ୍କ ଜୀବନ ରକ୍ଷା କରିବା ଆପଣ (ମୋଦି)ଙ୍କ ପ୍ରାଥମିକତା ହେବା ଉଚିତ । ମୁଁ ଆପଣଙ୍କୁ ଅପିଲ କରୁଛି ଆପଣ ଏଭଳି ଯନ୍ତ୍ରଣାରୁ ଲୋକଙ୍କୁ ବଞ୍ଚାନ୍ତୁ ।
ରାହୁଲ ମଧ୍ୟ ଟିକାକରଣ ନେଇ ସ୍ପଷ୍ଟ ରଣନୀତି ଅଭାବ ପାଇଁ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । କରୋନା ସମ୍ପୂର୍ଣ୍ଣ ଯାଇନଥିବା ବେଳେ କେନ୍ଦ୍ର ସରକାର ଏହା ଉପରେ ବିଜୟ ହାସଲ କରିଛୁ ବୋଲି ବାହାସ୍ଫୋଟ ମାରିଥିଲେ । ପରିଣାମ ସ୍ୱରୂପ, ଆଜି ଦେଶ ଏଭଳି ସ୍ଥିତିରେ ପହଞ୍ଚିଛି । କେନ୍ଦ୍ର ସରକାରର ବିଫଳତା ପାଇଁ ଆଜି ଦେଶବ୍ୟାପୀ ଲକଡାଉନ୍ ଲଗାଇବା ଜରୁରୀ ହୋଇପଡିଛି ବୋଲି ରାହୁଲ କହିଛନ୍ତି ।

 

Comments are closed.