ମୋଦି, ଯୋଗୀଙ୍କ ଫଟୋ ବ୍ୟବହାର କରିବାରୁ ୟୁପି ମନ୍ତ୍ରୀଙ୍କ ଭାଇଙ୍କ ନାମରେ ମାମଲା

ଲକ୍ଷ୍ନୌ – ଏକ ମୋବାଇଲ୍ ଫୋନ ବ୍ରାଣ୍ଡ୍‌ର ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ବ୍ୟବହାର କରିଥିବାରୁ ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀଙ୍କ ଭାଇଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ୟୁପିର ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ କପିଳ ଦେବ ଅଗ୍ରୱାଲଙ୍କ ଭାଇ ଲଳିତ ଅଗ୍ରୱାଲ । ମୋଦି, ଯୋଗୀଙ୍କ ଫଟୋ ବ୍ୟବହାର କରିବା ନେଇ ଡିସେମ୍ବର ୨୬ରେ ହଜରତଗଞ୍ଜ ପୋଲିସ ଥାନାରେ ଲଳିତଙ୍କ ନାମରେ ଏକ ଏଫ୍‌୍‌ଆଇଆର୍ ରୁଜୁ କରାଯାଇଛି । ତାଙ୍କ ଭାଇଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି । ସେ ନିର୍ଦ୍ଦୋଷ ସାବ୍ୟସ୍ତ ହେବେ ବୋଲି କପିଳ କହିଛନ୍ତି ।

ସୂଚନା ଅନୁସାରେ, ଲଳିତ ଏକ ବିଜ୍ଞାପନ ଏଜେନ୍ସି ଚଳାନ୍ତି । ନିକଟରେ ଏକ ମୋବାଇଲ ଫୋନ୍ ବ୍ରାଣ୍ଡର ପ୍ରଚାର ପାଇଁ ସେ ଏକ ବିଜ୍ଞାପନ ହୋର୍ଡିଂରେ ପ୍ରଧାନମନ୍ତ୍ରୀ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଫଟୋ ବ୍ୟବହାର କରିଥିଲେ । ଏନେଇ ପ୍ରଶ୍ନ ଉଠିବା ପରେ ହୋର୍ଡିଂରୁ ମୋଦି ଓ ଯୋଗୀଙ୍କ ଫଟୋକୁ ହଟାଇ ଦିଆଯାଇଥିଲା ଏବଂ ଉକ୍ତ ବିଜ୍ଞାପନ ଏଜେନ୍ସି ମଧ୍ୟ କ୍ଷମା ପ୍ରାର୍ଥନା କରିଥିଲା । ଏହି ମାମଲାରେ ବିରୋଧୀ କଂଗ୍ରେସ ତରଫରୁ ସିବିଆଇ ତଦନ୍ତ ଦାବି କରାଯାଇଛି । କଂଗ୍ରେସ କହିଛି ଯେ, ‘ଭୋକାଲ ଫର ଲୋକାଲ’ ଆଳରେ ମୋବାଇଲ ଫୋନର ପ୍ରଚାର କରିବା ପାଇଁ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ଏଥିରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

 

Comments are closed.