ମୋହନ ଭାଗବତଙ୍କୁ ବି ଆତଙ୍କବାଦୀ ଆଖ୍ୟା ଦେବାକୁ କୁଣ୍ଠାବୋଧ କରିବେନି ମୋଦି: ରାହୁଲ

ନୂଆଦିଲ୍ଲୀ – ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । କଂଗ୍ରେସର ଏହି ପ୍ରତିନିଧି ଦଳ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି । ମୋଦିଜୀଙ୍କ କେବଳ ଗୋଟିଏ ଲକ୍ଷ୍ୟ । ତାହା ହେଲା ବଡ଼ ବଡ଼ ଶିଳ୍ପପତିଙ୍କ ସମ୍ପତ୍ତି କିପରି ବଢ଼ାଯିବ । ମୋଦିଙ୍କ ବିରୋଧରେ ଯିଏ ଯିବ, ସେମାନେ ତାଙ୍କର ଆକ୍ରୋଶର ଶିକାର ହୋଇଥାନ୍ତି । ତାଙ୍କ ବିରୋଧୀଙ୍କ ବିଷୟରେ ମୋଦି କିଛି ନା କିଛି ନକାରାତ୍ମକ କଥା କହିଥାନ୍ତି । ଚାଷୀଙ୍କୁ ବି ସେ ଆତଙ୍କବାଦୀ ବୋଲି କହୁଛନ୍ତି । କାଲି ଯଦି ମୋହନ ଭାଗବତ ମୋଦିଙ୍କୁ ବିରୋଧ କରନ୍ତି, ତାଙ୍କୁ ବି ଆତଙ୍କବାଦୀ କହିବାକୁ ମୋଦି କୁଣ୍ଠା ପ୍ରକାଶ କରିବେନି ବୋଲି ରାହୁଲ କହିଛନ୍ତି । ରାହୁଲ କହିଛନ୍ତି ଯେ, କୃଷି ଆଇନ ବିରୋଧରେ ଆମେ ତିନି କୋଟି ଲୋକଙ୍କ ସ୍ୱାକ୍ଷର ଥିବା ସ୍ମାରକପତ୍ର ଦେଇଛୁ । ଏହା ଦେଶର ସ୍ୱର । ପ୍ରବଳ ଶୀତରେ ମଧ୍ୟ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଓ ପ୍ରାଣ ବି ହରାଉଛନ୍ତି । ଚାଷୀ ଓ ଶ୍ରମିକଙ୍କ ଆଗରେ କୌଣସି ବି ଶକ୍ତି ତିଷ୍ଠି ପାରିବ ନାହିଁ । ଯଦି କୃଷି ଆଇନକୁ ପ୍ରତ୍ୟାହାର ନ କରଯାଏ, ତେବେ ଏହା କେବଳ ଆରଏସଏସ୍ ଓ ବିଜେପି ପାଇଁ କ୍ଷତିକାରକ ହେବନି, ବରଂ ପୂରା ଦେଶର କ୍ଷତି ହେବ ବୋଲି ରାହୁଲ କହିଛନ୍ତି ।

Comments are closed.