ରବିବାର ଦ୍ୱିତୀୟ ଟି୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ସିଡନୀ – ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି୨୦ ରବିବାର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି)ରେ ଖେଳାଯିବ । ଆଘାତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଜୟଯାତ୍ରା ଜାରି ରଖି ସିରିଜ୍ କବ୍‌ଜା କରିବା ଲକ୍ଷ୍ୟରେ ରହିବ । ଟେଷ୍ଟ ଲଢେଇ ପୂର୍ବରୁ ଟି୨୦ ସିରିଜ୍ ବିଜୟ ଭାରତୀୟ ଦଳର ମନୋବଳ ବଢାଇବ । କିଛି ଭାରତୀୟ ଖେଳାଳି ମଧ୍ୟ ୬ ସୀମିତ ଓଭର ମ୍ୟାଚ୍ (ଦିନିକିଆ ଓ ଟି୨୦)କୁ ଅଲଗା ପରିବର୍ତ୍ତେ ଗୋଟିଏ ସିରିଜ୍ ଭାବେ ବିବେଚନା କରୁଛନ୍ତି । କାନବେରାରେ ଏବେ ଲଗାତର ଦୁଇଟି ମ୍ୟାଚ୍ ଜିତିବା ପରେ ବିରାଟ ବାହିନୀ ଏସସିଜିରେ ଅବଶିଷ୍ଟ ଦୁଇ ମ୍ୟାଚ୍ ଜିତି ସକାରାତ୍ମକ ଢଙ୍ଗରେ ସୀମିତ ଓଭର ସିରିଜ୍ ଶେଷ କରିବା ଆଶାରେ ରହିଛି ।

କନକସନ୍ ନିୟମାନୁଯାୟୀ ଜାଡେଜାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଆସିଥିବା ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ପ୍ରଦର୍ଶନ ସହାୟତାରେ ଭାରତ ପ୍ରଥମ ଟି୨୦କୁ ୧୧ ରନରେ ଜିତିଥିଲା । ଯଦିଓ ଜାଡେଜା ଅବଶିଷ୍ଟ ଦୁଇଟି ମ୍ୟାଚରୁ ବାଦ୍ ପଡିଛନ୍ତି, ଏହା ଭାରତର ମନୋବଳକୁ କୌଣସି ଭାବେ ପ୍ରଭାବିତ କରିବନି ବୋଲି ଆଶା କରାଯାଉଛି । ପ୍ରଥମ ଟି୨୦ରେ ୨୩ ବଲରୁ ଧୂଆଁଧାର ୪୪ ରନ୍ କରିଥିଲେ ଜାଡେଜା । ଫଳରେ ଭାରତ ପ୍ରାରମ୍ଭିକ ଓ ମଧ୍ୟକ୍ରମ ବିପର୍ଯ୍ୟୟରୁ ମୁକୁଳି ଏକ ଚ୍ୟାଲେଞ୍ଜିଂ ସ୍କୋର କରିବାରେ ସମର୍ଥ ହୋଇଥିଲା । ତେବେ ଭାରତୀୟ ଇନିଂସର ଶେଷ ଓଭରରେ ମିଚେଲ ଷ୍ଟାର୍କଙ୍କ ଏକ ବାଉନ୍ସର ଜାଡେଜାଙ୍କ ହେଲମେଟରେ ବାଜିଥିଲା । ଜାଡେଜା ଅଷ୍ଟ୍ରେଲୀୟ ଇନିଂସ୍ ବେଳକୁ ଆଉ ପଡିଆକୁ ଆସିନଥିଲେ । ତାଙ୍କ ସ୍ଥାନରେ ଚହଲ ବଦଳ ଖେଳାଳି ଭାବେ ଖେଳିଥିଲେ । ଜାଡେଜାଙ୍କ ଅନୁପସ୍ଥିତି ଭାରତର ନିମ୍ନଭାଗ ବ୍ୟାଟିଂରେ ଶୂନ୍ୟତା ସୃଷ୍ଟି କରିବ । ଜାଡେଜାଙ୍କ ଅନୁପସ୍ଥିତିରେ ଦଳର ଟପ୍‌-୫ ବ୍ୟାଟ୍ସମ୍ୟାନଙ୍କ ଠାରୁ ଅଧିନାୟକ କୋହଲି ଭଲ ପ୍ରଦର୍ଶନର ଆଶା ରଖିଛନ୍ତି ।

Comments are closed.