ରାଜ୍ୟ ସରକାରଙ୍କ ସୁଚିନ୍ତିତ କୋଭିଡ୍ ମୁକାବିଲା: ଲକଡାଉନ୍ ଭିତରେ ବି ଜୀବନ ଜୀବିକାକୁ ଗୁରୁତ୍ବ, ଆଶ୍ବସ୍ତ ହେଲେ ପରିବା ଚାଷୀ

ସମ୍ବଲପୁର : କରୋନାର ପ୍ରଥମ ଲହରରେ ଓଡିଶା ସଫଳ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସିତ ହୋଇସାରିଛି । ଆଉ ଏବେ ଦ୍ବିତୀୟ ଲହରର ବି ସଫଳ ମୁକାବିଲା ଦିଗରେ ସବୁ ପ୍ରଚେଷ୍ଟା ଜାରି ରଖିଛି । ସଂକ୍ରମଣର ଭୟାବହତାକୁ ଦେଖି ରାଜ୍ୟ ସରକାର ଗତ ୫ ତାରିଖରୁ ରାଜ୍ୟରେ ୧୪ ଦିନିଆଁ ଲକଡାଉନ୍ ଘୋଷଣା କରିଛନ୍ତି । ହେଲେ ଏଥର କଟକଣା ସାଙ୍ଗକୁ ଜୀବନ ଜୀବିକାକୁ ବି ଗୁରୁତ୍ବ ଦେଇ ଏକ ସମ୍ବେଦନଶୀଳ ସରକାରର ପରିଚୟ ଦେଇଛନ୍ତି । ବିଶେଷ କରି ଏହି ଲକଡାଉନ ସମୟରେ ସତର୍କତା ମଧ୍ୟରେ ଚାଷ କାମ ଯେମିତି ପ୍ରଭାବିତ ନ ହୁଏ ସେଥିପ୍ରତି ସରକାର ବିଶେଷ ଯତ୍ନବାନ ହୋଇଛନ୍ତି । ପନି ପରିବା ଉତ୍ପାଦନରୁ ଆରମ୍ଭ କରି ବଜାର ଏବଂ ମଣ୍ଡିକୁ ପରିବହନ ପର୍ଯ୍ୟନ୍ତ ସୂଚାରୁ ରୂପେ ହୋଇପାରିବ ସେ ଦିଗରେ କୃଷି ବିଭାଗ ସତନ୍ତ୍ର ଦୃଷ୍ଟି ଦେଇଥିବା ଜଣାପଡିଛି । ଫଳରେ ଏହି ଲକଡାଉନ୍ ଭିତରେ ପନିପରିବା ସୁବିଧାରେ ପାଇପାରିବା ସହିତ ଚାଷୀ ବି ତାର ଫସଲକୁ ବିକ୍ରି କରି ଦୁଇ ପଇସା ଅର୍ଜନ କରିପାରୁଛି ।

କରୋନା ମହାମାରୀ ସବୁ ବର୍ଗର ଲୋକଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି । ବିଶେଷ କରି ଗରିବଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଗତବର୍ଷ କେନ୍ଦ୍ର ସରକାର ସାରା ଦେଶରେ ଏକକ ନିୟମ ବ୍ୟବସ୍ଥାରେ ଲକଡାଉନ୍ ଲାଗୁ କରିଥିବା ବେଳେ ଘରୁ ବାହାରିବାକୁ ବି ମନା ଥିବାରୁ ଗରିବଙ୍କ ଘରେ ଚୁଲି ଜଳିବା କଷ୍ଟକର ହୋଇପଡ଼ିଥିଲା । ଏପରିକି ପଶ୍ଚିମ ଓଡିଶାରେ ଲକ୍ଷ ଲକ୍ଷ ପରିବାର ମାର୍ଚ୍ଚ ଏବଂ ଅପ୍ରେଲ ମାସରେ ମହୁଲ ଗୋଟାଇ ବେଶ୍ ଦୁଇ ପଇସା ଅର୍ଜନ କରୁଥିବା ବେଳେ ଗତବର୍ଷର କଟକଣା ଯୋଗୁଁ ତାହା ଏକପ୍ରକାର ଠପ୍ ହୋଇଯାଇଥିଲା । ସେହିପରି ପନିପରିବା ଚାଷୀ ବି ବିକ୍ରି କରିବାରୁ ବଞ୍ଚିତ ହୋଇ ରାସ୍ତାରେ ତଥା ବିଲରେ ପରିବା ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଥିଲା ।

ତେବେ , ଏବର୍ଷ କରୋନା ମୁକାବିଲାରେ ରାଜ୍ୟ ସରକାର ସୁଚିନ୍ତିତ ପଦକ୍ଷେପ ନେଇଛନ୍ତି । ଏବର୍ । ଗତ ୫ ତାରିଖରୁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଥିବା ବେଳେ ଜୀବନ ଜୀବିକାକୁ ବି ଗୁରୁତ୍ବ ଦେଇଛନ୍ତି । ବର୍ତ୍ତମାନ ଖରାଦିନିଆ ପନି ପରିବା ଚାଷ ବିଶେଷ ଭାବେ ପଶ୍ଚିମ ଓଡିଶାର ପ୍ରାୟ ସମସ୍ତ ଜିଲ୍ଲାରେ ବହୁ ମାତ୍ରାରେ ହୋଇଥାଏ । ଆଉ ଏବର୍ଷ ବି ଅନୁକୂଳ ପାଗ ଯୋଗୁଁ ପରିବା ଚାଷ ସବୁଠି ଭଲ ହୋଇଛି । ହେଲେ ଗତବର୍ଷ ଭଳି ଲକଡାଉନ୍ ହେଲେ ପୁଣି ଥରେ ସାଂଘାତିକ କ୍ଷତିର ସମ୍ମୁଖୀନ ହେବେ ବୋଲି ଚାଷୀ ଚିନ୍ତାରେ ପଡିଯାଇଥିଲେ । କିନ୍ତୁ , ରାଜ୍ୟ ସରକାର ଏଥର ଚାଷ କାମ ପାଇଁ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ଘୋଷଣା କରିବାକୁ ଚାଷୀ ଆଶ୍ବସ୍ତ ହୋଇଛନ୍ତି । ଫଳରେ ବିଲରୁ ପରିବା ଉତ୍ପାଦନ ପରେ ଏହାର ପରିବହନକୁ ବି ପ୍ରଶାସନିକ ସ୍ତରରେ ସୁନିଶ୍ଚିତ କରାଯାଉଛି ।

ରାସ୍ତାରେ ମୁତୟନ ହୋଇଥିବା ପୁଲିସକୁ ସତନ୍ତ୍ର ଭାବେ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଲଖନପୁର ବ୍ଲକର ଚାଷୀ ସଞ୍ଜିତ ପଧାନ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି । ୨ ଏକର ଜମିରେ ସେ ବାଇଗଣ ଚାଷ କରିଥିବା ବେଳେ ଏହାର ପରିବହନ ତଥା ବିକ୍ରିରେ ଏବର୍ଷ କୌଣସି ଅସୁବିଧା ହୋଇନଥିବା କହିଛନ୍ତି । ହେଲେ ଗତବର୍ଷ ଘୋର କ୍ଷତିର ସମ୍ମୁଖୀନ ହୋଇଥିବା ସେ ସୂଚନା ଦେଇଛନ୍ତି । ସେହିପରି ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକର ଚାଷୀ ଉପେନ୍ଦ୍ର ବିଶ୍ୱାଳ ମଧ୍ୟ ଭେଣ୍ଡି , ଚମାଟୋ ଏବଂ ବାଇଗଣ ଚାଷ କରିଥିବା ବେଳେ ବର୍ତ୍ତମାନ ପୂର୍ବଭଳି ବେପାରୀ ଆସୁଛନ୍ତି ଏବଂ କିଣିକରି ନେଉଛନ୍ତି ବୋଲି କହିଛନ୍ତି । ତେବେ , ପ୍ରତ୍ୟେକ କାମରେ ସାମାଜିକ ଦୂରତ୍ବ ସହ ମାକ୍ସ ପରିଧାନକୁ ଗୁରୁତ୍ବ ଦେଉଛୁ ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed.