ଲକଡାଉନ୍ ଆରମ୍ଭ: ରାସ୍ତାରେ ସ୍ଥିତି ପରଖିଲେ ଆଇଜି ଓ ଏସ୍‌ପି

ଅମାନିଆଙ୍କୁ ସଚେତନ କଲେ ଆଇଜି

ସମ୍ବଲପୁର: କରୋନାର ଭୟଙ୍କର ପରିସ୍ଥିତିକୁ ଦେଖି ଆଜିଠାରୁ ରାଜ୍ୟରେ ୧୪ ଦିନିଆଁ ଲକଡାଉନ୍ ଆରମ୍ଭ ହୋଇଛି । ଆଉ ଲକଡାଉନ୍ ଆରମ୍ଭ ହେବା ମାତ୍ରେ ଲୋକଙ୍କୁ ଘର ଭିତରେ ସୁରକ୍ଷିତ ରଖିବାକୁ ପୁଲିସ ପୁଣି ରାସ୍ତାରେ ମହାମାରୀର ଭୟକୁ ଖାତିର ନ କରି ଆଜିଠାରୁ ସମ୍ମୁଖ ଯୋଦ୍ଧାର ଅସଲ କାମରେ ଲାଗି ପଡିଛି । ତେବେ , ଏଥର ଜୀବନ ଜୀବିକା ସାଙ୍ଗକୁ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଅନେକ କୋହଳ କରାଯାଇଛି । ଆଉ ଏହାକୁ ଆୟୁଧ କରି ଅମାନିଆ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି ।

ଆଜି ପ୍ରଥମ ଦିନରେ ଲକଡାଉନ୍ ସ୍ଥିତି ସମୀକ୍ଷା ସହିତ ଅମାନିଆଙ୍କୁ ସଚେତନ କରିବା ପାଇଁ ନିଜେ ଉତ୍ତରାଞ୍ଚଳ ପୁଲିସ ଆଇଜି ନିରସିଂହ ଭୋଳ ଏବଂ ଏସ୍‌ପି ବାତୁଳା ଗଙ୍ଗାଧର ବିଭିନ୍ନ ସ୍ଥାନରେ ବୁଲୁଥିବା ଦେଖିବାକୁ ମିଳିଛି । ସେହିପରି ଅମାନିଆ ବାରମ୍ବାର ନିୟମ ଉଲ୍ଲଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ କରୋନା ମହାମାରୀ ସମୟରେ ପୁଲିସର ପ୍ରତିବଦ୍ଧତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ନିଜ ଜୀବନକୁ ବାଜି ଲଗାଇ ପୁଲିସ ଏହି ମହାମାରୀ ମୁକାବିଲାରେ ନିଜକୁ ପୁରା ଦରେ ଲଗାଇ ଦେଇଥିଲା ।

ଏହାର ପରିଣାମ ସ୍ୱରୂପ ବହୁ ପୁଲିସ କର୍ମଚାରୀ କରୋନାର ଶିକାର ହୋଇ ରାଜ୍ୟରେ ମୃତ୍ୟୁବରଣ କରିଥିଲେ । ତଥାପି ଏବର୍ଷ ପୁଣି ସେହି ଭୟକୁ କାଢି ଆଜିଠୁ ଲାଗୁ ହୋଇଥିବା ଲକଡାଉନ୍‌କୁ କଡାକଡି ପାଳନ ଦିଗରେ ପୁଲିସ ତାର ପୁରା ଦମ୍ ଲଗାଇ ଦେଇଛି । ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଆଇଜି ନରସିଂହ ଭୋଳ ଏବଂ ଏସ୍‌ପି ବାତୁଲା ଗଙ୍ଗାଧର ସ୍ଥିତିର ସମୀକ୍ଷା କରିବା ସହିତ ଲୋକଙ୍କୁ ସଚେତନ କରାଇଛନ୍ତି । ଶ୍ରୀ ଭୋଳ ଆଜି ସମ୍ବଲପୁରର ଧନୁପାଲି ଛକରୁ ଆରମ୍ଭ କରି ସଦର ଥାନା ସିନ୍ଦୁରପଙ୍କ ଅଞ୍ଚଳରୁ କ୍ଷେତରାଜପୁର ଥାନା ବଜବଜାର ସାହେବ ବଙ୍ଗଳା ଆଦି ଅଞ୍ଚଳରେ ମୁତୟନ ଥିବା ପୁଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହାଛଡା । ରାସ୍ତାରେ ଯିବା ଆସିବା କରୁଥିବା ଲୋକ ତଥା ମାକ୍‌ ପରିଧାନ କରିନଥିବା ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି ।

ସେହିପରି ଏସ୍‌ପି ଗଙ୍ଗାଧର ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଖୋଲିଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାରରେ କୋଭିଡି କଟକଣାର ସ୍ଥିତିର ଅନୁଧ୍ୟାନ କରିଥିଲେ । ଏହାଛଡା ଅମାନିଆଁଙ୍କୁ ତାଗିଦ କରିଥିଲେ । ମୋଟ୍ ଉପରେ ଉଭୟ ଅଧିକାରୀ ଏହି ସମୟରେ ଲୋକଙ୍କୁ ସଚେତନ କରାଇବା ସହିତ ପୁଲିସର ମନୋବଳ ବଢାଉଥିବା ଦେଖିବାକୁ ମିଳିଥିଲା ।

Comments are closed.