ଲିଓନ ହେଲେ ଭାରତର ୬୭ତମ ଗ୍ରାଣ୍ଡମାଷ୍ଟର

ଚେନ୍ନାଇ – ଗୋଆର ୧୪ ବର୍ଷୀୟ ଲିଓନ ମେଣ୍ଡୋଙ୍କା ଭାରତର ୬୭ତମ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି । ଇଟାଲୀରେ ଏକ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ସେ ଗ୍ରାଣ୍ଡମାଷ୍ଟର ହେବା ପାଇଁ ଆବଶ୍ୟକ ତୃତୀୟ ତଥା ଅନ୍ତିମ ଔପଚାରିକତା ପୂରଣ କରିଥିଲେ । ଲିଓନ ଗୋଆର ଦ୍ୱିତୀୟ ଗ୍ରାଣ୍ଡମାଷ୍ଟର । ଲିଓନ ଅକ୍ଟୋବରରେ ରିଗୋ ଚେସ୍ ଇଭେଣ୍ଟରେ ବିଜୟ ସହ ପ୍ରଥମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଥିଲେ ।

ନଭେମ୍ବରରେ ବୁଡାପେଷ୍ଟ ଇଭେଣ୍ଟରେ ସେ ତାଙ୍କର ଦ୍ୱିତୀୟ ଓ ଏବେ ଇଟାଲୀରରେ ଅନୁଷ୍ଠିତ ଭେର୍ଗାନୀ କପରେ ତୃତୀୟ ନର୍ମ ହାସଲ ପୂର୍ବକ ଗ୍ରାଣ୍ଡମାଷ୍ଟର ମାନ୍ୟତା ଅର୍ଜନ କରିଛନ୍ତି । ଭେର୍ଗାନୀ କପରେ ସେ ୬.୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ।
କରୋନା ଜନିତ ଲକଡାଉନ୍ ଯୋଗୁଁ ଲିଓନ୍ ଓ ତାଙ୍କ ବାପା ମାର୍ଚ୍ଚାରୁ ୟୁରୋପରେ ଫସି ରହିଥିଲେ । ତେବେ ଏହି ଅସୁବିଧାକୁ ସେମାନେ ସୁଯୋଗରେ ପରିଣତ କରିଥିଲେ । ଗ୍ରାଣ୍ଡମାଷ୍ଟର ମାନ୍ୟତା ହାସଲ କରିବା ଲକ୍ଷ୍ୟରେ ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ ୟୁରୋପରେ ଅନୁଷ୍ଠିତ ବିଭିନ୍ନ ଚେସ୍ ଟୁର୍ଣ୍ଣାମେଣ୍ଟରେ ଲିଓନ୍ ଅଂଶଗ୍ରହଣ କରିଥିଲେ । ଗ୍ରାଣ୍ଡମାଷ୍ଟର ମାନ୍ୟତା ହାସଲ କରିଥିବାରୁ ଲିଓନ୍ ଏବେ ବେଶ୍ ଖୁସି । ଏଥିପାଇଁ ସେ ତାଙ୍କ ଅଭିଭାବକଙ୍କ ସମେତ କୋଚ୍ ବିଷ୍ଣୁ ପ୍ରସନ୍ନା ଓ ସ୍ପନସରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.