ଲୋକଙ୍କ ପିଏଫ୍ ଉପରେ ସରକାରଙ୍କ ଆଖି, ଏବେ ପିଏଫ୍ ଉପରେ ଲାଗିବ ଟ୍ୟାକ୍ସ

ନୂଆଦିଲ୍ଲୀ – ଜରୁରୀ ସମୟରେ ପିଏଫ୍ (ଭବିଷ୍ୟନିଧି ପାଣ୍ଠି) ଲୋକଙ୍କ ସାହାରା ପାଲଟିଥାଏ । ଝିଅ ବାହାଘର ହେଉ ଅବା ଚିକିତ୍ସା ବା ଅନ୍ୟ ଜରୁରୀକାଳୀନ ଖର୍ଚ୍ଚ ପାଇଁ ଲୋକମାନେ ପିଏଫ୍‌ରୁ ଟଙ୍କା ଉଠାଇଥାନ୍ତି । କିନ୍ତୁ ଏବେ ଲୋକଙ୍କ ପିଏଫ୍ ଉପରେ ସରକାର ନଜର ପକାଇଛନ୍ତି । ଗତକାଲି ଉପସ୍ଥାପିତ କେନ୍ଦ୍ର ବଜେଟ୍ ପରେ ପିଏଫ୍‌ରେ ନିବେଶ କରୁଥିବା ଲୋକଙ୍କୁ ଝଟ୍‌କା ଲାଗିବ । କାରଣ ପିଏଫ୍ ଉପରେ ସରକାର ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ସଂସଦରେ ବଜେଟ୍ ଉପସ୍ଥାପନ କଲା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଏଣିକି ପିଏଫ୍‌ରେ ଅଢ଼େଇ ଲକ୍ଷ ଟଙ୍କା ନିବେଶ ପର୍ଯ୍ୟନ୍ତ ହିଁ ଟିକସଛାଡ଼ ସୁବିଧା ମିଳିବ । ଅର୍ଥାତ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନିବେଶ ଉପରେ ମିଳୁଥିବା ସୁଧ ଉପରେ ଟ୍ୟାକ୍ସ ଲାଗିବ । ବର୍ତ୍ତମାନ ପିଏଫ୍‌ର ସୁଧହାର ୮% ରହିଛି ଏବଂ ସୁଧ ଉପରେ ଲୋକଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡୁନାହିଁ ।

ପିଏଫ୍‌ର ଗୋଟିଏ ଭାଗ କମ୍ପାନୀ ତରଫରୁ ମିଳିଥାଏ ଏବଂ ବଳକା ଭାଗ କର୍ମଚାରୀ ଦେଇଥାଏ । ନୂଆ ନିୟମ ଅନୁସାରେ କର୍ମଚାରୀଙ୍କ ଭାଗ ଉପରେ ଏବେ ଟ୍ୟାକ୍ସ ଲାଗିବ । ଯଦି ପିଏଫ୍‌ରେ ଜଣେ କର୍ମଚାରୀ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ଯୋଗଦାନ କରନ୍ତି, ତେବେ ସେହି ରାଶି ଉପରେ ମିଳିବାକୁ ଥିବା ସୁଧ ଉପରେ ଟ୍ୟାକ୍ସ ଲାଗିବ । ଏହି ନୂଆ ନିୟମ ଏପ୍ରିଲ ୧, ୨୦୨୧ରୁ ଲାଗୁ ହେବ ।

Comments are closed.