ଶ୍ରୀକ୍ଷେତ୍ରର ଅନନ୍ୟ ଶାକ୍ତପୀଠ ଅର୍ଦ୍ଧାଶିନୀ ବା ମାଉସୀମାଆ ମନ୍ଦିର

ବଡ଼ଦାଣ୍ଡର ବଳଗଣ୍ଡିଠାରେ ଅବସ୍ଥାପିତା ଦେବୀ ହେଉଛନ୍ତି ଅର୍ଦ୍ଧଶୋଷିଣୀ ବା ଅର୍ଦ୍ଧାଶିନୀ। ରତ୍ନସିଂହାସନର ଦେବୀ ସୁଭଦ୍ରାଙ୍କର ମୁଖାକୃତି ଗୋଟିଏ ସୁବର୍ଣ୍ଣ ବର୍ଣ୍ଣର ମୁଖା ଭିତରେ ନିଜର ପ୍ରକୃତ ସ୍ୱରୂପକୁ ସଂଗୋପିତ କରି ରଖିଥିବା ଏହି ଦେବୀ ‘ମାଉସୀମାଆ’ ଭାବରେ ଲୋକପ୍ରିୟ। ପୁରୁଷୋତ୍ତମ କ୍ଷେତ୍ରର ଅଷ୍ଟଚଣ୍ଡିକାଙ୍କ ମଧ୍ୟରୁ ସେ ଅନ୍ୟତମା। ‘ମାଦଳାପାଞ୍ଜି-ରାଜଭୋଗ ଇତିହାସ’ ଅନୁସାରେ ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷିଣୀ ହେଲେ ବଡ଼ଦାଣ୍ଡ ବଳଗଣ୍ଡିର ମୁଖ୍ୟଦେବୀ। ତୃତୀୟ ଅନଙ୍ଗଭୀମଦେବ (୧୨୧୧-୧୨୩୮) ତାଙ୍କ ସମେତ ଅଷ୍ଟଚଣ୍ଡୀ ଓ ଅଷ୍ଟଶମ୍ଭୁଙ୍କର ଦେଉଳମାନ କରିଥିଲେ।

ଏହି ଦେବୀ ଏବେ ଅର୍ଦ୍ଧଶୋଷିଣୀ ବା ମାଉସୀ ମା’ ଭାବରେ ପରିଚିତା ହେଲେ ମଧ୍ୟ, ମନେହୁଏ ସେ ମୂଳତଃ ଥିଲେ ନିତେଇ ଧୋବଣୀ। ସେ ତାନ୍ତ୍ରିକ ମତରେ ପୂଜିତା ହେଉଥିଲେ। ‘ମାଦଳା ପାଞ୍ଜି’ର ବର୍ଣ୍ଣନା ଅନୁସାରେ, ଅନଙ୍ଗଭୀମ ଦେବଙ୍କ ପିତା ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ ଯାଜପୁରରେ ପ୍ରଥମ ନବର (ରାଜଧାନୀ) କରିଥିଲେ। ସେଠାରୁ ଓଡ଼ିସା (ଓଡ଼ିଶା) ଆସି, ସେ ସମସ୍ତ ଗୋସାଣୀଙ୍କୁ କିଳିଥିଲେ। ସମ୍ଭବତଃ ସେହି ସମୟରେ ଏହି ତନ୍ତ୍ରଦେବୀଙ୍କୁ କିଳିବା ପ୍ରକ୍ରିୟାରେ ସୁବର୍ଣ୍ଣ ବର୍ଣ୍ଣର ଧାତୁ (ପିତ୍ତଳ)ର ମୁଖା ପିନ୍ଧାଯାଇଥିବା ମନେହୁଏ। ତେବେ ଦେବୀଙ୍କର ସେହି ପ୍ରାଚୀନ ତାନ୍ତ୍ରିକ ରୂପ ଏବେ ସଂଗୁପ୍ତ ବା ବିସ୍ମୃତ। ହିନ୍ଦୁଦେବୀ ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷିଣୀ ଭାବରେ, ସେ ଶଙ୍ଖାକୃତି ଶ୍ରୀକ୍ଷେତ୍ରର ବା ଶଙ୍ଖନାଭି ମଣ୍ଡଳର ପୂର୍ବ ଭାଗରେ ସଂସ୍ଥିତା। ଉଗ୍ରାଶକ୍ତି ଭାବରେ ସେ ଶ୍ରୀକ୍ଷେତ୍ରର ରକ୍ଷାକର୍ତ୍ତ୍ରୀ।

ଶଙ୍ଖକ୍ଷେତ୍ରର ବିବରଣୀରୁ ଜଣାଯାଏ ଯେ ଏହାର ନାଭିଦେଶଠାରେ ତିନିଗୋଟି କୁଣ୍ଡ ଥିଲା। ତାହା କପାଳମୋଚନ ପୀଠରୁୁ ଅର୍ଦ୍ଧାଶିନୀ ପୀଠ ମଧ୍ୟରେ ରହିଥିଲା। ଏବେ କିନ୍ତୁ ରୋହିଣୀକୁଣ୍ଡକୁ ଛାଡ଼ି ଆଉ ଦୁଇ କୁଣ୍ଡର ସ୍ଥିତି ନାହିଁ। କାରଣ ବଳଗଣ୍ଡିଠାରେ ପ୍ରବାହିତ ହେଉଥିବା ମାନିନୀ ନଦୀ ବା ମିଟିଆଣି ନଦୀ ପ୍ରକୃତରେ ଥିଲା ଏହି ଦେବୀଙ୍କର ନିକଟରେ। ପ୍ରବାହିତ ଜଳଧାରାର ଅର୍ଦ୍ଧାଂଶକୁ ଏହି ଦେବୀ ଅଶନ (ଭୋଜନ ବା ପାନ) କରୁଥିବାରୁ ଏହାଙ୍କ ନାମ ‘ଅର୍ଦ୍ଧାଶିନୀ’ ବା ‘ଅର୍ଦ୍ଧଶୋଷିଣୀ’ ହୋଇଛି।

ସୃଷ୍ଟିର ଆଦିକାଳରୁ ଧର୍ମରାଜଙ୍କର ଶକ୍ତି ରୂପେ ‘ଅର୍ଦ୍ଧାଶିନୀ’ ବା ‘ଅର୍ଦ୍ଧାଂଶିନୀ’ ବିଦିତା। ଏଣୁ ଏହି ଅର୍ଦ୍ଧାଶିନୀ ଧର୍ମରାଜ ବା ସୂର୍ଯ୍ୟ ବା ଯମରାଜଙ୍କର ଶକ୍ତି ଯମୁନା ବା ସଂଜୀବନୀ ବୋଲି ମନେହୁଅନ୍ତି। ଯମଙ୍କର ଶକ୍ତି ଶାସ୍ତ୍ରମତେ ‘ଚାମୁଣ୍ଡା’। ଏହି ଦେବୀ ପୂର୍ବରୁ ବିକୃତାନନା ଚାମୁଣ୍ଡା ଥିବା ମନେହୁଏ। କିନ୍ତୁ ଏହା ତଥାପି ପ୍ରମାଣ କରାଯାଇପାରି ନାହିଁ।

ପୁରୀର ଅଷ୍ଟମାତୃକାଙ୍କ ମଧ୍ୟରେ ବିମଳା, ବଟମଙ୍ଗଳା, ଦକ୍ଷିଣକାଳିକା, ହରଚଣ୍ଡୀ, ସର୍ବମଙ୍ଗଳା, ଆଲାମଚଣ୍ଡୀ, ଅର୍ଦ୍ଧଶୋଷିଣୀ ଓ ମରୀଚିକାଙ୍କୁ ଶ୍ରେଣୀଭୁକ୍ତ କରାଯାଇଛି। ବିମଳାଙ୍କ ମନ୍ଦିର ଯଯାତିଙ୍କ ସମୟର (୨ୟ ଯଯାତି, ୧୦୨୪-୧୦୪୭) କୀର୍ତ୍ତି ବୋଲି ଜଣାଯାଏ। ଯଯାତିଙ୍କର ଇଷ୍ଟଦେବୀ ଥିଲେ ‘ପଞ୍ଚାମ୍ବରୀ ଭଦ୍ରାମ୍ବିକା’। ସେହି ଦେବୀଙ୍କ ନାମରେ ‘ଭଦ୍ରା’ ଓ ‘ଅମ୍ବିକା’ ଥିବାରୁ, ଦେବୀ ବିମଳା ଓ ଦେବୀ ସୁଭଦ୍ରାଙ୍କୁ ସମନ୍ୱିତ କରାଯାଏ। ସୁଭଦ୍ରା ଭଦ୍ରଦାୟିନୀ। ସେ ‘ଏକାଂନସା’ ଏବଂ ଶ୍ରୀକୃଷ୍ଣ-ବଳରାମଙ୍କର ଭଗିନୀ। ଯଶୋଦାଙ୍କ ଗର୍ଭରୁ ଜାତ ହେବା ହେତୁ ସେ ବୈଦିକ ଦେବୀ ହୋଇ, ଜଗନ୍ନାଥଙ୍କ ଚତୁର୍ବ୍ୟୂହ ମଧ୍ୟରୁ ଜଣେ ଭାବରେ କଥିତା ହୁଅନ୍ତି। ବଳଗଣ୍ଡିଠାରେ ଅବସ୍ଥାପିତା ଅର୍ଦ୍ଧଶୋଷିଣୀ ବଳଭଦ୍ରଙ୍କର ଭଗିନୀ ରୂପେ ‘ସଂକର୍ଷଣ ସମାନନା’ ଭୈରବୀ ରୂପେ କଥିତ ହୁଅନ୍ତି। ତେଣୁ ତାନ୍ତ୍ରିକ ମତରୁ ବୈଦିକ ମତରେ ପ୍ରତିଷ୍ଠିତା ହୋଇଥିବା ଏହି ଦେବୀ ‘ଭୋଗ-ଭାଗ୍ୟ ଦାୟିନୀ’ ରୂପେ ପ୍ରଖ୍ୟାତା।

ସ୍ୱତ୍ୱଲିପି ଅନୁସାରେ, ସେ ବାହୁଡ଼ାଯାତ୍ରାରୁ ଫେରିବା ବାଟରେ ଶ୍ରୀଜଗନ୍ନାଥଙ୍କୁ ପୋଡ଼ପିଠା ବା ଛେନାପୋଡ଼ ଖୁଆଇ ଥାଆନ୍ତି। ମଧ୍ୟଖଣ୍ଡର ସେହି ଦେବୀପୀଠକୁ ମାଉସୀ ମା’ ମନ୍ଦିର କୁହାଯାଏ ଏବଂ ସେ ଶ୍ରୀଜଗନ୍ନାଥଙ୍କର ମାଉସୀ ମାଆ ବୋଲି ଲୋକମୁଖରେ ପରିଚିତା।

ତେବେ କେତେକ ଗବେଷକ ଏହି ଦେବୀଙ୍କୁ ବୁଦ୍ଧଦେବଙ୍କର ମାଉସୀ ‘ପୂଜାବତୀ’ ବୋଲି କହନ୍ତି। ସେମାନଙ୍କ ଅନୁସାରେ ଏହି ପୀଠ ପୂଜାବତୀଙ୍କର ପୀଠ ଥିଲା ଏବଂ ବୁଦ୍ଧଦେବ ବୌଦ୍ଧଧର୍ମପ୍ରଚାର ପାଇଁ ବହିର୍ଗତ ହେବାପରେ, ମାୟାଦେବୀ ନିଜର ବଡ଼ଭଉଣୀ ଓ ସ୍ୱାମୀ ଶୁଦ୍ଧୋଦନଙ୍କୁ ହରାଇ, ବୁଦ୍ଧଦେବଙ୍କ ଗୃହତ୍ୟାଗ ପରେ ଏଠାକୁ ଚାଲିଆସି, ଏହି ପୀଠରେ ମନଦୁଃଖରେ ରହିଥିଲେ। ତେଣୁ, ଏହା ‘ମାଉସୀ ମାଆ’ ପୀଠ ବୋଲି କଥିତ। ତେବେ ଏ ସଂପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

କପାଳମୋଚନଙ୍କ ପୀଠଠାରୁ ଅର୍ଦ୍ଧଶୋଷିଣୀ ଦେବୀଙ୍କ ପୀଠପର୍ଯ୍ୟନ୍ତ ବଟ-ସାଗର ସମେତ ଭୂଭାଗ ଏକ ପବିତ୍ର ପୀଠସ୍ଥଳ ବୋଲି ‘ବାମଦେବ ସଂହିତା’ (୨/୩୮)ରେ ଉଲ୍ଲେଖ ଅଛି। କ୍ଷେତ୍ର ପରିକ୍ରମା (୨୩/୬/୮)ରେ ମଧ୍ୟ ପୁରୀକୁ ଶଙ୍ଖକ୍ଷେତ୍ରର ‘ନାଭିସ୍ଥଳ’ ଏବଂ ଦେବୀ ଭୈରବୀଙ୍କ ଉପସ୍ଥିତି ହେତୁ ଜଗନ୍ନାଥଙ୍କୁ ‘ଭୈରବ’ରୂପେ ଆଖ୍ୟାୟିତ କରାଯାଇଛି। ଏହି କାରଣରୁ ଦେବୀ ଅର୍ଦ୍ଧାଶିନୀ ଭୈରବୀରୂପିଣୀ ଅଟନ୍ତି। ଏହି ଦେବୀଙ୍କ ସମେତ ଅଷ୍ଟଭୈରବୀଙ୍କୁ ସୁରକ୍ଷା ଦେବାକୁ ଶିବ ଭୈରବରୂପେ ଏହି କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ତେଣୁ କାରଣାର୍ଣ୍ଣବ ଜଳର ଅର୍ଦ୍ଧେକ ଶୋଷଣ କରିଦେଇ ଏହି ଦେବୀ ଅର୍ଦ୍ଧଶୋଷିଣୀ ରୂପେ ପ୍ରତିଷ୍ଠିତ। ତାଙ୍କର ଲୋକପ୍ରିୟ ରୂପ ଓ ନାମ ହେଉଛି ମାଉସୀ ମା’।

(ସଂଗୃହିତ )

Comments are closed.