ସଂକ୍ରମଣରେ ପୁଣି ନୂଆ ରେକର୍ଡ: ଦିନକରେ ୧.୨୬ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୯ ଲକ୍ଷ ଟପିଲା

ନୂଆଦିଲ୍ଲୀ – ଭାରତରେ କରୋନା ବିସ୍ଫୋରଣରେ ବ୍ରେକ୍ ଲାଗିପାରୁ ନାହିଁ । ଦିନକୁ ଦିନ ସଂକ୍ରମଣ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ଦେଶରେ ୧,୨୬,୭୮୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଯାବତ୍ ଦୈନିକ ମାମଲାରେ ଏହା ହେଉଛି ରେକର୍ଡ ବୃଦ୍ଧି । କ୍ରମାଗତ ଦ୍ୱିତୀୟ ଓ ମୋଟରେ ତୃତୀୟ ଥର ପାଇଁ ଦୈନିକ ସଂକ୍ରମଣ ଏକ ଲକ୍ଷ ଟପିଛି । ଏହା ପୂର୍ବରୁ ଏପ୍ରିଲ ୪ ଓ ୬ରେ ଦୈନିକ ମାମଲା ଏକ ଲକ୍ଷ ଅତିକ୍ରମ କରିଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦିନକରେ ଏହି ରୋଗରେ ପୁଣି ୬୮୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କରୋନାରୁ ଆଉ ୫୯,୨୫୮ ଲୋକ ସୁସ୍ଥ ହୋଇଛନ୍ତି ।

ଭାରତରେ ଏବେ ମୋଟ କରୋନା ମାମଲା ୧ କୋଟି ୨୯ ଲକ୍ଷ ୨୮ ହଜାର ୫୭୪କୁ ବୃଦ୍ଧି ପାଇଛି । ଏଯାବତ ଏହି ମହାମାରୀରେ ଦେଶରେ ୧ ଲକ୍ଷ ୬୬ ହଜାର ୮୬୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୧୮ ଲକ୍ଷ ୫୧ ହଜାର ୩୯୩ ଲୋକ ସୁସ୍ଥ ହୋଇଛନ୍ତି ।
ଦୈନିକ ମାମଲରେ ରେକର୍ଡ ବୃଦ୍ଧି ସହ ସକ୍ରିୟ ମାମଲାରେ ମଧ୍ୟ ବୃଦ୍ଧି ଘଟୁଛି । ଦେଶରେ ସକ୍ରିୟ ମାମଲା ୯ ଲକ୍ଷ ଟପିଛି । ମଙ୍ଗଳବାର ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୯ ଲକ୍ଷ ୧୦ ହଜାର ୩୧୯ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ବି ସ୍ଥିତି ଅପରିବର୍ତ୍ତିତ ରହିଛି । ଗତ ୨୪ ଘଣ୍ଟାରେ ଏହି ରାଜ୍ୟରେ ପୁଣି ୫୦ହଜାରରୁ ଊର୍ଦ୍ଧ୍ୱ ମାମଲା ଆସିଛି । ମହାରାଷ୍ଟ୍ରରେ ୫୯,୯୦୭ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଉ ୩୨୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମାମଲା ୩୧ ଲକ୍ଷ ୭୩ ହଜାରରେ ପହଞ୍ଚିଛି ।

Comments are closed.