ସଂଗରୋଧ କୋରୋନା ପଜିଟିଭଙ୍କ ପାଇଁ ଆରମ୍ଭ ହେବ ଫାଭିପିରାଭିର ଥେରାପି, ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର,କଟକ, ପୁରୀରେ ରୋଗୀଙ୍କୁ ଦିଆଯିବ ଟାବଲେଟ୍‌

ଭୁବନେଶ୍ୱର – ସଂଗରୋଧରେ ରହୁଥିବା କୋରୋନା ପଜିଟିଭ ଲୋକଙ୍କ ପାଇଁ ଫାଭିପିରାଭିର ଥେରାପି ଆରମ୍ଭ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଛି । କୋଭିଡ ମହାମାରୀ ନେଇ ଉପଲବ୍ଧ ନୂଆ ଚିକିତ୍ସା ତଥ୍ୟ ଏବଂ ପ୍ରାମାଣିକତା ଆଧାରରେ ଆଂଟିଭାଇରାଲ୍ ଔଷଧ ହିସାବରେ ଫାଭିପିରାଭିର ଉତମ ଫଳାଫଳ ପ୍ରମାଣିତ ହୋଇଛି । ଏହା ଘରେ ସଂଗରୋଧରେ ରହୁଥିବା ରୋଗୀମାନଙ୍କୁ ଜଟିଳ ହେବା ସମସ୍ୟାରୁ ରକ୍ଷା କରିବ । ଲକ୍ଷଣ ବିହୀନ ଓ ସାମାନ୍ୟ ଭାବେ ଆକ୍ରାନ୍ତ ହୋଇ ସଂଗରୋଧରେ ରହୁଥିବା ରୋଗୀଙ୍କୁ ଫାଭିପିରାଭିର ଦିଆଯିବ ବୋଲି ସରକାର କହିଛନ୍ତି । ଫାଭିପିରାଭିର ଔଷଧ ସେବନ ବାବଦରେ ଡାକ୍ତରମାନଙ୍କ ନିମନ୍ତେ ଏକ ମାର୍ଗଦର୍ଶିକ ଜାରିପୂର୍ବକ ଏହାର ବହୁଳ ପ୍ରସାରଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ରାପିଡ ରେସପନ୍ସ ଟିମର ସଦସ୍ୟମାନଙ୍କୁ ସଂଗରୋଧରେ ଥିବା ରୋଗୀ ଏହି ଔଷଧ ସେବନ କରିବା ନେଇ ଉପଯୁକ୍ତ ଆକଳନ ନିମନ୍ତେ ତାଲିମ ଦେବା ଉପରେ ମଧ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ରୋଗୀଙ୍କ ସମ୍ମତି ମିଳିବା ପରେ ହିଁ ଏହି ଚିକିତ୍ସା ଆରମ୍ଭ କରାଯାଇପାରିବ । ରାପିଡ ରେସପନ୍ସ ଟିମର୍ ସଦସ୍ୟମାନେ ରୋଗୀଙ୍କୁ ଔଷଧ ଦେବା ସହ କଣ କରିବେ ଓ କଣ ନ କରିବେ ସେ ସଂପର୍କରେ ଯଥାର୍ଥ ସୂଚନା ପ୍ରଦାନ କରିବେ । ରୋଗୀର ପ୍ରତିକ୍ରିୟା ଓ ଉନ୍ନତି ବାବଦରେ କିପରି ଓ କାହାକୁ ଯୋଗାଯୋଗ କରିବେ,ସେ ନେଇ ସଂଗରୋଧରେ ଥିବା ରୋଗୀଙ୍କ ଘରେ ଯାଇ ପରାମର୍ଶ ଦେବେ ।

Comments are closed.