ସବୁ ସ୍ଥାନରେ ଏବଂ ସବୁ ସମୟରେ ବିରୋଧ ପ୍ରଦର୍ଶନ ‌ହେଇପାରିବ ‌ନାହିଁ: ସୁପ୍ରିମକୋର୍ଟ | News Room Odisha

ସବୁ ସ୍ଥାନରେ ଏବଂ ସବୁ ସମୟରେ ବିରୋଧ ପ୍ରଦର୍ଶନ ‌ହେଇପାରିବ ‌ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ଶାହିନ୍ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ଉପରେ ହୋଇଥିବା ପୂର୍ବ ରାୟରେ ପରିବର୍ତ୍ତନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ବିରୋଧ ପ୍ରଦର୍ଶନ ଦ୍ୱାରା ସର୍ବସାଧାରଣ ସ୍ଥାନରେ ଅନ୍ୟମାନଙ୍କ ଅଧିକାର ପ୍ରଭାବିତ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସବୁ ସ୍ଥାନରେ ଏବଂ ସବୁ ସମୟରେ ବିରୋଧ ପ୍ରଦର୍ଶନ ହୋଇପାରିବ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଅନ୍ୟମାନଙ୍କ ଅଧିକାରକୁ ପ୍ରଭାବିତ କରୁଥିବା ସର୍ବସାଧାରଣ ସ୍ଥାନ ଦଖଲ କରି ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରହିପାରିବ ନାହିଁ ।

ସାମ୍ବିଧାନ ବିରୋଧ ଏବଂ ଅସନ୍ତୋଷ ପ୍ରକାଶ କରିବାର ଅଧିକାର ଦେଇଥାଏ, କିନ୍ତୁ କିଛି ବାଧ୍ୟତାମୂଳକ କର୍ତ୍ତବ୍ୟ ସହ। କୋର୍ଟ ଏହାର ଆଦେଶରେ କହିଛନ୍ତି ଯେ ଆମେ ପୁନର୍ବିଚାର ଆବେଦନ ଏବଂ ସିଭିଲ୍ ଅପିଲରେ ରେକର୍ଡକୁ ବିଚାର କରିଛୁ। ଆମେ ଏଥିରେ କୌଣସି ଦୋଷ ତ୍ରୁଟି ପାଇ ନାହୁଁ | ଜଷ୍ଟିସ ଏସ.କେ କୌଲ୍, ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଏକ ବେଞ୍ଚ ଏହି ରାୟ ଘୋଷଣା କରିଛି।

ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ, ଶାହିନ୍ ବାଗରେ
ଧାରଣାରେ ବସିଥିବା ମହିଳା ‌ବିକ୍ଷୋଭକାରୀଙ୍କ ତରଫରୁ ଏକ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଦାୟର କରାଯାଇଥିଲା । ଏହି ଆନ୍ଦୋଳନ ସମ୍ପର୍କରେ ଅକ୍ଟୋବର ୨୦୨୦ରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶର ପୁନର୍ବାର ଶୁଣାଣି କରାଯିବାକୁ ମହିଳାମାନେ ଦାବି କରିଥିଲେ ।

supreme court