ସିସିସିରେ ଉତ୍ତମ ବ୍ୟବସ୍ଥା ନେଇ କୋଭିଡ ଆକ୍ରାନ୍ତ ଖୁସ୍ ପରିଦର୍ଶନ କଲେ ଆଇଜି , ଜିଲ୍ଲାପାଳ | News Room Odisha

ସିସିସିରେ ଉତ୍ତମ ବ୍ୟବସ୍ଥା ନେଇ କୋଭିଡ ଆକ୍ରାନ୍ତ ଖୁସ୍ ପରିଦର୍ଶନ କଲେ ଆଇଜି , ଜିଲ୍ଲାପାଳ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ବିଶେଷ କରି ବିଭିନ୍ନ ସ୍ଥାନରେ ହୋଇଥିବା କୋଭିଡ୍ କେୟାର୍ ସେଣ୍ଟରରେ ଆକ୍ରାନ୍ତଙ୍କ ଉତ୍ତମ ଚିକିତ୍ସା ସାଙ୍ଗକୁ ସବୁ ପ୍ରକାରର ସୁବ୍ୟବସ୍ଥା ଚର୍ଚ୍ଚାର ବିଷୟ ହୋଇଛି । ଉତ୍ତମ ଚିକିତ୍ସା ସାଙ୍ଗକୁ ଘରୋଇ ପରିବେଶ ଭଳି ଖାଇବା ପିଇବାର ବ୍ୟବସ୍ଥା ଦ୍ବାରା କୋଭିଡ୍ ଆକ୍ରାନ୍ତ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ତେବେ , ଆଜି ସନ୍ଧ୍ୟାରେ ପୁଲିସ ଆଇଜି ନରସିଂହ ଭୋଳ ଏବଂ ଜିଲ୍ଲାପାଳ ଶୁଭମ ସକ୍ସେନା କାଇଁଶୀର ସ୍ଥିତ କୋଭିଡ୍ କେୟାର ସେଣ୍ଟର ପରିଦର୍ଶନ କରି ସେଠାକାର ପରିଚାଳନା ବ୍ୟବସ୍ଥା ସାଙ୍ଗକୁ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ସୁବିଧା ସୁଯୋଗର ଅନୁଧ୍ୟାନ କରିଥିଲେ ।

ପ୍ରଶାସନ ପକ୍ଷରୁ ମହାନଗରର ବୁର୍ଲାରେ ଏବଂ ସମ୍ବଲପୁର ସହରର କାଇଁଶୀର ସ୍ଥିତ ବୃତ୍ତିଗତ ଛାତ୍ରାବାସରେ ସ୍ଥାପିତ ସିସିସି କେନ୍ଦ୍ର ଖୋଲାଯାଇଛି । ଏଠାରେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ସମସ୍ତ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରାଯାଇଥିବା ବେଳେ ଛାତ୍ରାବାସର ଆକର୍ଷଣୀୟ ଭିତ୍ତିଭୂମି ସମସ୍ତଙ୍କୁ ମୁଗ୍ଧ କରିଛି । ଏଠାରେ ଦୁଇ ବେଳା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ ଚାଲିଥିବା ବେଳେ ୨୪ ଘଣ୍ଟିଆ ହେଲପ୍ ଲାଇନ୍ ବ୍ୟବସ୍ଥା କରାଯାଇଛି । କୌଣସି ରୋଗୀ ଗୁରୁତର ହେଲେ ତୁରନ୍ତ କୋଭିଡ୍ ହସପିଟାକୁ ସ୍ଥାନାନ୍ତର କରାଯାଉଛି ।

ସେହିପରି ଏଠାରେ ଖାଇବା ପିଇବା ପାଇଁ ବି ଘର ପରି ବ୍ୟବସ୍ଥା ହୋଇଥିବା କହିଛନ୍ତି ଆକ୍ରାନ୍ତ । ବିଶେଷ କରି ପ୍ରଶାସନ ତଥା ସାସ୍ଥ୍ୟ ବିଭାଗ ପକ୍ଷରୁ ଏଠାରେ ଥିବା ପ୍ରତିଟି ଆକ୍ରାନ୍ତଙ୍କ ବିଶେଷ ଯତ୍ନ ନିଆଯାଉଥିବା ନେଇ ଆକ୍ରାନ୍ତ ହୋଇ ଭର୍ତ୍ତି ଥିବା ସାମ୍ବାଦିକ ଜ୍ୟୋତିଷ ମହାନ୍ତି ସୂଚନା ଦେଇଛନ୍ତି । ତେବେ , ଆଜି ଆଇଜି ଶ୍ରୀ ଭୋଳ ଏବଂ ଜିଲ୍ଲାପାଳ ଶ୍ରୀ ସକ୍ସେନା ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଏବଂ କିଛି ଆକ୍ରାନ୍ତଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ନେଇ ଆଲୋଚନା କରିଛନ୍ତି ।