ସୁନୀଲ ଛେତ୍ରୀ କରୋନା ପଜିଟିଭ୍‌ | News Room Odisha

ସୁନୀଲ ଛେତ୍ରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ – ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ କରୋନା ପଜିଟିଭ୍ ହୋଇଛନ୍ତି । ମାର୍ଚ୍ଚ ୨୫ରେ ଦୁବାଇରେ ଖେଳାଯିବାକୁ ଥିବା ଓମାନ ବିପକ୍ଷ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରୁ ସେ ବଞ୍ଚିତ ହୋଇପାରନ୍ତି ।
ଛେତ୍ରୀ ଗୁରୁବାର ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେ କରୋନାରେ ସଂକ୍ରମିତ ଥିବା ସୂଚନା ଦେଇଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ଏବଂ ଖୁବଶୀଘ୍ର ସେ ପଡିଆକୁ ଫେରିବେ ବୋଲି କହିଛନ୍ତି ।
ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍‌ଏଲ୍‌)ରେ ଛେତ୍ରୀ ବେଙ୍ଗାଲୁରୁ ଏଫସି ପାଇଁ ଖେଳୁଛନ୍ତି । ଗତମାସ ସୁଦ୍ଧା ସେ ଆଇଏସ୍‌ଏଲ୍ ପାଇଁ ଗୋଆରେ ବାୟୋ ବବଲରେ ରହିଥିଲେ । ତେବେ ବେଙ୍ଗାଲୁରୁ ସେମିଫାଇନାଲ ଦୌଡରୁ ବାଦ୍ ପଡିବା ପରେ ଛେତ୍ରୀଙ୍କ ଅଭିଯାନ ବି ଶେଷ ହୋଇଥିଲା । ଫେବୃୟାରୀ ୨୫ରେ ଛେତ୍ରୀଙ୍କ ବେଙ୍ଗାଲୁରୁ ଦଳ ନିଜ ଶେଷ ମ୍ୟାଚ୍ ଖେଳିଥିଲା । ଛେତ୍ରୀ ମଧ୍ୟ ସେହି ମ୍ୟାଚରେ ଖେଳିଥିଲେ ଏବଂ ଗୋଟିଏ ଗୋଲ୍ ଦେଇଥିଲେ ।

ଲିଗ୍ ପର୍ଯ୍ୟାୟ ଶେଷ ସୁଦ୍ଧା ବେଙ୍ଗାଲୁରୁ ଏଫସି ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ବେଙ୍ଗାଲୁରୁ ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ମ୍ୟାଚ୍ ଜିତିଥିବା ବେଳେ ୨୨ ପଏଣ୍ଟ ହାସଲ କରିଥିଲା । ଦଳ ୭ଟି ମ୍ୟାଚ୍ ଡ୍ର ରଖିଥିଲା ଏବଂ ୮ଟି ମ୍ୟାଚ୍ ହାରିଥିଲା । ଚଳିତ ଆଇଏସ୍‌ଏଲରେ ଛେତ୍ରୀ ୨୦ଟି ମ୍ୟାଚ୍ ଖେଳି ୮ଟି ଗୋଲ୍ ଦେଇଥିଲେ ।

ଓମାନ ଏବଂ ୟୁଏଇ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଭାରତୀୟ ଦଳର ପ୍ରସ୍ତୁତି ଶିବିର ଦୁବାଇରେ ମାର୍ଚ୍ଚ ୧୫ରୁ ଆରମ୍ଭ ହେବ । ଭାରତ ଶେଷଥର ନଭେମ୍ବର ୨୦୧୯ରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା ।