ସେରମ୍ ଇନଷ୍ଟିଚ୍ୟୁଟ୍ ଟିକାକୁ ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟ ବିଭାଗର ମଞ୍ଜୁରୀ, ଭାରତ ପଠାଇବ ୧୫ ଲକ୍ଷ ଡୋଜ୍

ନୂଆଦିଲ୍ଲୀ – ଏବେ ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟୀକାକୁ ମଞ୍ଜୁରି ଦେଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ କିଛି ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକାକୁ ୧୫ ଲକ୍ଷ କୋଭିଶିଲ୍ଡ ଡୋଜ୍ ଯୋଗାଇବ । ଦକ୍ଷିଣ ଆଫ୍ରିକାରେ କରୋନାରେ ଏଯାବତ ୧.୪ ମିଲିୟନରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୪୦ ହଜାର ଲୋକ ପ୍ରାଣ ହରାଇଛନ୍ତି। ଏଠାରେ ପ୍ରତିଦିନ ହାରାହାରି ୧୨ ହଜାର ନୂଆ ମାମଲା ରୁଜୁ ହେଉଛି।

ଭାରତ ଗତ ସପ୍ତାହରେ ଘୋଷଣା କରିଥିଲା ​​ଯେ ଶ୍ରୀଲଙ୍କା ଏବଂ ଅନ୍ୟ ଆଠଟି ଦେଶ – ଭୁଟାନ, ମାଲଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର, ସେଚେଲ୍ସ, ଆଫଗାନିସ୍ତାନ ଏବଂ ମରିସସକୁ କୋଭିଡ -୧୯ ଟିକା ପଠାଇବ। ‘ପଡୋଶୀ ପ୍ରଥମ’ ନୀତି ଅନୁଯାୟୀ ନେପାଳ, ବାଂଲାଦେଶ, ଭୁଟାନ ଏବଂ ମାଲଦ୍ୱୀପ ଅନୁଦାନ ସହାୟତାରେ ଭାରତୀୟ କୋଭିଡ -୧୯ ଟିକା ଗ୍ରହଣ କରିସାରିଛନ୍ତି।

ଜାନୁଆରୀ ୧ରେ, ଭାରତର ବିଶେଷଜ୍ଞ କମିଟି ତରଫରୁ କୋଭିଶିଲ୍ଡର ଜରୁରୀକାଳୀନ ବ୍ୟବହାର ପାଇଁ ଚୂଡ଼ାନ୍ତ ଅନୁମୋଦନ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆକୁ ସୁପାରିଶ କରାଯାଇଥିଲା। ଏହା ପରେ, ଜାନୁଆରୀ ୨ରେ ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର୍ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ୍’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ବିଶେଷଜ୍ଞ କମିଟି ଡିସିଜିଆଇକୁ ସୁପାରିସ କରିଥିଲା । ଡିସିଜିଆଇ ଶେଷରେ ୩ ଜାନୁଆରୀରେ ଉଭୟ ଟୀକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଥିଲେ । ସେବେଠାରୁ ଭାରତ କ୍ରମାଗତ ଭାବରେ ବିଶ୍ୱର ଅନେକ ଦେଶକୁ କରୋନା ଟିକା ପଠାଉଛି।

Comments are closed.