ସୋସିଆଲ ମିଡିଆ, ଓଟିଟି ପ୍ଲାଟ୍‌ଫର୍ମ ପାଇଁ ଗାଇଡ୍ ଲାଇନ୍ ଜାରି, ୩୬ ଘଣ୍ଟା ମଧ୍ୟରେ ହଟାଇବାକୁ ପଡିବ ଆପତ୍ତିଜନକ ପୋଷ୍ଟ

ନୂଆଦିଲ୍ଲୀ – ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟ୍‌ଫର୍ମ ପାଇଁ କେନ୍ଦ୍ର ସରକାର ଗୁରୁବାର ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି । ନୂଆ ଗାଇଡ୍ ଲାଇନ୍ ମୁତାବକ ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ଆପତ୍ତିଜନକ ପୋଷ୍ଟ ନେଇ ଅଭିଯୋଗ ହେବାର ୩୬ ଘଣ୍ଟା ମଧ୍ୟରେ ସେହି ପୋଷ୍ଟକୁ ହଟାଇବାକୁ ପଡିବ । ଏହାଛଡ଼ା ଡିଜିଟାଲ ମିଡିଆ ମାନଙ୍କୁ ବୈଦ୍ୟୁତିକ ଗଣମାଧ୍ୟମ ଭଳି ସ୍ୱ-ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବାକୁ ପଡିବ ।

ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଭାରତରେ ବ୍ୟବ୍ୟସାୟ କରିବାକୁ ସୋସିଆଲ ମିଡିଆଙ୍କୁ ସ୍ୱାଗତ । ସରକାରଙ୍କୁ ସମାଲୋଚନା ପାଇଁ ବି ଆମେ ପ୍ରସ୍ତୁତ । କିନ୍ତୁ ସୋସିଆଲ ମିଡିଆର ଅପବ୍ୟବହାର ନେଇ ଅଭିଯୋଗର ବି ଏକ ଫୋରମ୍ ରହିବା ଆବଶ୍ୟକ । ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟ୍‌ଫର୍ମ ପାଇଁ ଯେଉଁ ଗାଇଡ୍ ଲାଇନ୍ ଜାରି ହୋଇଛି ତାହା ତିନି ମାସ ମଧ୍ୟରେ ଲାଗୁ ହେବ ।

ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ସୁପ୍ରିମକୋର୍ଟ ଅନଲାଇନରେ ପୋଷ୍ଟ ହେଉଥିବା ବିଷୟବସ୍ତୁ ପାଇଁ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଆଧାରରେ ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ସୋସିଆଲ ମିଡିଆ ୟୁଜର ମାନଙ୍କ ଭେରିଫିକେସନ ମଧ୍ୟ ହେବା ଉଚିତ ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି । ତେବେ ଏବେ ସରକାର ଏଥିରେ ହସ୍ତକ୍ଷେପ କରିବେ ନାହିଁ, ବରଂ ସମ୍ପୃକ୍ତ ସୋସିଆଲ ମିଡିଆ କମ୍ପାନୀଙ୍କୁ ଏହି କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି ।

Comments are closed.