ହଜମ ହେଉନି ସମାଲୋଚନା: କୋଭିଡ୍ ସମ୍ବନ୍ଧୀୟ ପୋଷ୍ଟ ହଟାଇବାକୁ ଟ୍ବିଟରକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ କୋଭିଡ -୧୯ ସହ ଜଡିତ ‘ଉତ୍ତେଜନାପୂର୍ଣ୍ଣ ପୋଷ୍ଟ’ ହଟାଇବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଟ୍ୱିଟରର ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ ବୈଧ ଆଇନଗତ ଅନୁରୋଧ ଉପରେ କମ୍ପାନୀ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏଥିରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଅଫିସିଆଲ ଫେସବୁକ ପେଜ୍ ର କିଛି ପୋଷ୍ଟ ରହିଛି।

ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ କୋଭିଡ ସହ ଜଡିତ ପୋଷ୍ଟଗୁଡିକରେ ଉତ୍ତେଜନାମୂଳକ ଫଟୋ ଏବଂ ଶବଦାହର ବାର୍ତ୍ତା ରହିଛି, ଯାହା ଲୋକଙ୍କୁ ଉତ୍ତେଜିତ କରିପାରେ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣର କାରଣ ହୋଇପାରେ।

ଯେଉଁମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଏହି ସରକାରୀ ଆଦେଶ ଦ୍ୱାରା ପ୍ରଭାବିତ ହୋଇଛି, ସେମାନଙ୍କ ମଧ୍ୟରେ କଂଗ୍ରେସ ସାଂସଦ ଆର ରେଡ୍ଡୀ, ଟିଏମସିର ମଳୟ ଘଟକ, ପଶ୍ଚିମବଙ୍ଗର ଜଣେ ରାଜ୍ୟ ମନ୍ତ୍ରୀ, ଦୁଇ ଚଳଚ୍ଚିତ୍ର ନିର୍ମାତା ବିନୋଦ କାପ୍ରି ଏବଂ ଅବିନାଶ ଦାସ ଅଛନ୍ତି।
ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୯ (ଏ) ଅନୁଯାୟୀ ସଂପୃକ୍ତ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଏହି ନିର୍ଦ୍ଦେଶ ଜାରି କରିଥିଲେ ଏବଂ ଶନିବାର ଦିନ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯାଇଛି।

ଏହି ଆଦେଶ ପାଇଁ ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନ୍ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦୀ-ଶାହାଙ୍କୁ ଏକଛତ୍ରବାଦୀ ଭାବେ ବର୍ଣ୍ଣନା କରି ଡେରେକ ଓ’ବ୍ରାଏନ୍ କହିଛନ୍ତି ଯେ ହାରିଥିବା ବ୍ୟକ୍ତି ସମାଲୋଚନାକୁ ହଜମ କରିପାରନ୍ତି ନାହିଁ। ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିବା ନେଇ କାହିଁକି ରାଗୁଛ, ସେମାନେ (କେନ୍ଦ୍ର ସରକାର) ତ ଅଣନିଃଶ୍ବାସୀ ନାଗରିକଙ୍କ ଅକ୍ସିଜେନ ବନ୍ଦ କରିଦେଲେ |

Comments are closed.